Sat. Aug 15th, 2026

ସ୍ୟାଟ୍‌ରେ ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚାଇବା ପ୍ରସଂଗ : ଓପିଏସସି ଅଧ୍ୟକ୍ଷ ନେବେ ନିଷ୍ପତ୍ତି

370 Views

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ପକ୍ଷରୁ ଜାନୁଆରି ୨୦ରେ ଅନୁଷ୍ଠିତ ହେବାକୁ ଥିବା ଆସିଷ୍ଟାଣ୍ଟ ସେକସନ୍ ଅଫିସର(ଏଏସଓ) ଲିଖିତ ପରୀକ୍ଷାକୁ ଘୁଞ୍ଚାଇବା ପ୍ରସଂଗରେ ଓପିଏସି ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା ହେବା ପାଇଁ ଥିବାବେଳେ ଏହା ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ତେବେ ଓପିଏସସି ପକ୍ଷରୁ ଧାର୍ଯ୍ୟ ପରୀକ୍ଷା ତାରିଖକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଆଗଲେ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା ହେବ। କିନ୍ତୁ ଓପିଏସସି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ପଠାଯାଇ ସାରିଲାଣି। ତାରିଖରେ ପରିବର୍ତ୍ତନ କରାଗଲେ ଅନେକ ସମସ୍ୟା ଦେଖାଯିବ ବୋଲି ଓପିଏସସି ପକ୍ଷରୁ ଦର୍ଶାଯାଇଥିଲା। ଓପିଏସସି ପକ୍ଷରୁ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ। ଏପରି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ଦାବି ସଂପର୍କରେ ଓପିଏସସି ଅଧ୍ୟକ୍ଷ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସ୍ୟାଟ୍ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ଗ୍ରୁପ୍-ବି ଲିଖିତ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ ପରିବର୍ତ୍ତନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ୨୦୧୮, ଡିସେମ୍ବର ୨୩ ତାରିଖ ପରିବେର୍ତ୍ତ ୨୦୧୯, ଜାନୁଆରି ୨୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ୨୦୧୮, ଡିସେମ୍ବର ୩ରେ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଅନ୍ୟପଟେ ପ୍ରାୟ ୧ ବର୍ଷ ପୂର୍ବରୁ ରେଳ ବିଭାଗର ଏକ ପରୀକ୍ଷା ଜାନୁଆରି ୨୦ରେ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ସେହି ଦିନ ରେଳବାଇ ନିଯୁକ୍ତି ବୋର୍ଡର ଏଏଲ୍‌ପି ମୁଖ୍ୟ ପରୀକ୍ଷା ଓ ଆଇବିପିଏସ୍‌ କ୍ଲର୍କ ମେନ୍‌ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି। ଏପରି ପରିସ୍ଥିତିରେ ଏଏସଓ ପରୀକ୍ଷା ତାରିଖକୁ ପରିର୍ତ୍ତନ କରିବାକୁ ନିବେଦନ କରି ସ୍ୟାଟରେ ମାମଲା ରୁଜୁ ହୋଇଥିଲା। ଏହା ପୂର୍ବରୁ ପରୀକ୍ଷାର୍ଥୀମାନେ ଗୃହ ବିଭାଗ ସଚିବ ଓ ରାଜ୍ୟପାଳଙ୍କୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଓପିଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

By amfnews

Related Post