Sat. May 16th, 2026

ସୁଶୀଳାବତୀ ସରକାରୀ କଲେଜରେ ମହିଳା ଆତ୍ମରକ୍ଷା କୌଶଳ କର୍ମଶାଳା ଓ ପ୍ରଶିକ୍ଷଣ

310 Views

ରାଉରକେଲା, ୧୪ା୧୧  : ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ କଲେଜ ଗୁଡିକରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଉକ୍ରଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ସାମରିକ କଳା ଗବେଷକ ସିହାନ ଡଃ ହରିପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ମହିଳା ଆତ୍ମରକ୍ଷା କୌଶଳ କୋର୍ସ ରିଆକ୍ଟ ପ୍ରଶିକ୍ଷଣ ପ୍ରାପ୍ତ ମାଷ୍ଟର ଟ୍ରେନର ମାନଙ୍କ ଦ୍ୱାରା କଲେଜଗୁଡିକରେ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି । ଏହିକ୍ରମରେ ସେକ୍ଟର-୨ ସ୍ଥିତ ସୁଶୀଳାବତୀ ସରକାରୀ (+୩) ମହିଳା କଲେଜରେ ଆତ୍ମରକ୍ଷା ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏଥିରେ ଉକ୍ରଳ କରାଟେ ସ୍କୁଲ ରାଉରକେଲା ଶାଖାର ପ୍ରଶିକ୍ଷକ, ଜାତୀୟ ଓ ଆନ୍ତର୍ଜାତୀୟ ପଦକପ୍ରାପ୍ତ ତଥା ଆତ୍ମରକ୍ଷା ଏକ୍ସପର୍ଟ ଟଟ୍ନର ରାଜୀବ କୁମାର ସିଂ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ନିମନ୍ତେ ଆବଶ୍ୟକୀୟ ସଚେତନତା, ଶାରୀରିକ ଓ ମାନସିକ ଦକ୍ଷତା ଉପରେ ବୁଝାଇବା ସହ ଏହାକୁ ନିୟମିତ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଆରମ୍ଭରେ କଲେଜର ଅଧ୍ୟକ୍ଷା ଅଳକା ନନ୍ଦ ସରକାରଙ୍କ ତରଫରୁ ପ୍ରାୟୋଜିତ ଏଭଳି ଏକ ପ୍ରଶିକ୍ଷଣର ପ୍ରଶଂସା କରିବା ସହ ସମସ୍ତ ଛାତ୍ରୀ ବାଧ୍ୟତାମୂଳକ ଭାବେ ଏହି ପ୍ରଶିକ୍ଷଣ ନେବା ପାଇଁ କହିଥିଲେ । କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଦାୟିତ୍ୱରେ ଥିବା ବନିତା ଭିତରିଆ, ହିନ୍ଦୀ ବିଭାଗର ଡ.ଜୟକ୍ରୀ ନାୟକ, ଡ. ଅଞ୍ଜନା ଚକ୍ରବର୍ତ୍ତୀ ଓ ମନୋରମା ବେହେରା ପ୍ରମୁଖ କର୍ମଶାଳା ପରିଚାଳନା କରିଥିଲେ । ଉକ୍ରଳ କରାଟେ ସ୍କୁଲର ଜାତୀୟ ଓ ଆନ୍ତର୍ଜାତୀୟ ପଦକପ୍ରାପ୍ତ ତଥା ଏକ୍ସପର୍ଟ ଟ୍ରେନର ଅଭିଷେକ ପଟ୍ଟନାୟକ ଓ ସୁଜାତା ସାହୁ ରାଜୀବ ସିଂଙ୍କୁ ପ୍ରଶିକ୍ଷଣ ଦେବାରେ ସହଯୋଗ କରିଥିଲେ ।

By amfnews

Related Post