Thu. Jun 11th, 2026

ସୁଦାନ ଚୀନାମାଟି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ୨୩ ମୃତ, ୧୩୦ରୂ ଊର୍ଦ୍ଧ୍ୱ ଆହତ

206 Views

ଖାର୍‌ତୌମ୍‌: ମଙ୍ଗଳବାର ଦିନ ସୁଦାନର ରାଜଧାନୀ ଖାର୍‌ତୌମ୍‌ ଠାରେ ଥିବା ଗୋଟାଏ ଚୀନାମାଟି କାରଖାନାରେ (ସେରାମିକ୍‌ ଫ୍ୟାକ୍‌ଟ୍ରି) ଅନ୍‌ଲୋଡ୍‌ କରାଯାଉଥିବା ବେଳେ ଗ୍ୟାସ୍‌ ଟ୍ୟାଙ୍କର୍‌ଟାଏ ବିସ୍ଫୋରିତ ହୋଇ ନିଆଁ ଲାଗିଯିବାରୁ ୨୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା କଥା ସରକାର କହିଛନ୍ତି।

ଉତ୍ତରପଟ ଉପନଗର ଠାରେ ଥିବା ଏହି କାରଖାନାରେ ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ହୋଇଥିଲା ଯେ ଏହାର ପ୍ରଭାବରେ ସେ ଟ୍ୟାଙ୍କର୍‌ ଅନ୍ୟ ଗୋଟାଏ ସ୍ଥାନକୁ ଉଡ଼ି ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ଏବଂ ଜଣେ ବରିଷ୍ଠ ବେସାମରିକ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

ଦୁର୍ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଭିଡିଓରେ ଦିଶୁଛି ଲୋକେ ସହାୟତା ପାଇଁ ଚିତ୍କାର କରି ଧାଆଁଦୌଡ଼ କରୁଛନ୍ତି। କାରଖାନାରୁ ଅଗ୍ନିଶିଖା ଓ ଧୂଆଁ ଉଠୁଥିବା ବେଳେ ସ୍ୱେଚ୍ଛାସେବୀ ଏବଂ ନିରାପତ୍ତା ବଳ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ କାରଖାନାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଏକ ସରକାରୀ ବିବୃତିରେ ପ୍ରକାଶ ପାଇଛି। ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ରକ୍ତଦାନ କରିବାକୁ ସରକାର ନିବେଦନ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାରଖାନାରେ ଆବଶ୍ୟକ ନିରାପତ୍ତା ପଦକ୍ଷେପ ଏବଂ ଉପକରଣ ଅଭାବ ଏବଂ ଦହନଶାଳୀ ପଦାର୍ଥଗୁଡ଼ିକୁ ଏତେତେଣେ ରଖାଯାଇଥିବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।

ମୃତାହତ କର୍ମଚାରୀମାନଙ୍କ ମଧ୍ୟରେ ଏସୀୟ ଦେଶ ସମେତ ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଥିବା କଥା ଡାକ୍ତରଖାନାସୂତ୍ରରୁ ପ୍ରକାଶ।
ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରେ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବା କଥା ଜଣେ ସ୍ଥାନୀୟ ପୁଲିସ ମୁଖ୍ୟ କହିଛନ୍ତି।

By amfnews

Related Post