Sun. Oct 18th, 2026

କୁପ୍‌ଓ୍ଵାଡ଼ା ସେନା ପୋଷ୍ଟରେ ତୁଷାର ସ୍ଖଳନ ଯୋଗୁଁ ତିନି ଯବାନ ନିଖୋଜ; ତଲାସ ଓ ଉଦ୍ଧାର କାର୍ଯ୍ୟ ଜାରି

252 Views

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍‍ ଉପରେ ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ସେନାବାହିନୀ ସୂତ୍ରରୁ ପ୍ରକାଶ। ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିବା ପରେ ନିଖୋଜ ଯବାନମାନଙ୍କୁ ପାଇବା ପାଇଁ ସେନାବାହିନୀ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହାଛଡ଼ା ତୁଷାର ମଧ୍ୟରେ ଲାଖି ରହିଥିବା ଅନ୍ୟ ତିନି ଜଣ ଯବାନଙ୍କୁ ନିରାପତ୍ତା ବଳ ଉଦ୍ଧାର କରିଛି।

ବନ୍ଦିପୋଡ଼ା ଜିଲ୍ଲାର ଗୁରେଜ୍‌ ସେକ୍ଟର୍‌ ସେନା ପୋଷ୍ଟ୍‍ ଉପରେ ମଧ୍ୟ ତୁଷାର ସ୍ଖଳନ ହୋଇଛି। ତୁଷାର ମଧ୍ୟରେ କେତେକ ଯବାନ ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବାକୁ ଅଭିଯାନ ଆରମ୍ଭ ହୋଇଛି।

ନଭେମ୍ବର ୩୦ ତାରିଖ ସକାଳେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚୀନ୍‌ ଗ୍ଲେସିୟର୍‌ ଅଞ୍ଚଳରେ ସେନାବାହିନୀର ପାଟ୍ରୋଲ୍‌ ଦଳ ଉପରେ ତୁଷାର ସ୍ଖଳନ ଘଟିବାର ଦୁଇ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post