Wed. Sep 2nd, 2026

ଲୋଇସି˚ହା ସ୍ବାସ୍ଥ୍ୟକେନ୍ଦ୍ର ଓଟିରେ ସାମଗ୍ରୀ ବିଶୋଧନ ବେଳେ ଅଘଟଣ,ବିସ୍ଫୋରଣରେ କର୍ମଚାରୀ ଗୁରୁତର

328 Views

ଲୋଇସି˚ହା : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅସ୍ତ୍ରୋପଚାର କକ୍ଷ (ଓଟି‌)ରେ ଗୁରୁବାର ଅଘଟଣ ଘଟିଛି। ଅସ୍ତ୍ରୋପଚାର ଉପକରଣ ବିଶୋଧନ ବେଳେ ବିସ୍ଫୋରଣ ଘଟି କର୍ମଚାରୀ ଷଡ଼ାନନ ପଧାନ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗୁରୁବାର ସ୍ବାସ୍ଥ୍ୟକେନ୍ଦ୍ର ଓଟି ଭିତରେ ଦୈନିକ ମଜୁରିରେ କାମ କରୁଥିବା ପଣ୍ତରାଣୀ ଗ୍ରାମର ଷଡ଼ାନନ ଉପକରଣ ବିଶୋଧନ କରୁଥିଲେ। ଏହି ସମ‌ୟରେ ହଠାତ ବିସ୍ଫୋରଣ ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଛାତି, ମୁହଁ, ଆଖି ପାଖରେ ଆଘାତ ଲାଗିଥିଲା। ଉପସ୍ଥିତ କର୍ମଚାରୀ ଓ ଡାକ୍ତର ତାଙ୍କ ଚିକିତ୍ସା କରିବା ପରେ ରାତି ପ୍ରାୟ ୧୦ ଟାରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ଯନ୍ତ୍ରଣାରେ ଛଟପଟ ହେଉଥିବା ଯୋଗୁଁ କ’ଣ ବିସ୍ଫୋରଣ ଘଟିଲା କିଛି ଜାଣି ନାହାନ୍ତି ବୋଲି ଷଡ଼ାନନ ଶୁକ୍ରବାର ପ୍ରକାଶ କରିଛନ୍ତି। ବିସ୍ଫୋରଣ ଦିନ ୩ ଟା ସମୟରେ ଘଟିଥିଲେ ହେଁ ସ୍ବାସ୍ଥ୍ୟ କେନ୍ଦ୍ର ଇନଚାର୍ଯ୍ୟ ଥିବା ଡାକ୍ତରାଣୀ ଡାକ୍ତରଖାନାରେ ନ ରହି ନିଜ ଘର ବଲାଙ୍ଗୀରକୁ ଚାଲି ଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ସୂଚନା ଦେଇଛନ୍ତି। ଏହି ଅଘଟଣ ସ˚ପର୍କରେ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସଞ୍ଜୀବ ବିଶ୍ବାଳଙ୍କୁ ପଚରାଯିବାରୁ ଷ୍ଟେର‌୍‌ଲାଇଜେସନ କରୁଥିବା ବେଳେ ବିସ୍ଫୋରଣ ହୋଇଥିବା ପ୍ରକାଶ କରିଥିଲେ। ଏନେଇ ସିଡିଏମଓଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ।

By amfnews

Related Post