Mon. Sep 7th, 2026

ଲାଡେନକୁ ଧରାଇବାରେ ସହଯୋଗ କରିଥିଲା ଆଇଏସ୍‌ଆଇ!

167 Views

ୱାଶିଂଟନ୍‌  : ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ କୁଆଡ଼େ କୁଖ୍ୟାତ ଅଲ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌କୁ ଠାବ କରି ଏ ସଂକ୍ରାନ୍ତରେ ଆମେରିକାକୁ ଖବର ଦେଇଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇଠାରୁ ଖବର ପାଇ ଆମେରିକାର ସୁରକ୍ଷାକର୍ମୀ ଅବୋଟ୍ଟାବାଦରେ ପଶି ଲାଡେନ୍‌କୁ ହତ୍ୟା କରିଥିଲେ। ଏଭଳି ବୟାନ ଦେଇଛନ୍ତି ଖୋଦ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।

୨୦୧୧ ମେ’ ୨ରେ ଆମେରିକା ସୁରକ୍ଷାକର୍ମୀ ଲାଡେନ୍‌କୁ ପାକ୍‌ର ଅବୋଟ୍ଟାବାଦରେ ହତ୍ୟା କରିଥିଲେ। ତେବେ ଏହାପୂର୍ବରୁ ପାକିସ୍ତାନ ପକ୍ଷରୁ ଲାଡେନ୍‌ର ଅବସ୍ଥିତି ସମ୍ପର୍କରେ କିଛି ଜାଣି ନଥିବା କୁହାଯାଇଥିଲା। ଏହାକୁ ନେଇ ପାକିସ୍ତାନ ବିଶ୍ୱ ଦରବାରରେ ଲଜ୍ଜିତ ହୋଇଥିଲା। କିନ୍ତୁ ଏବେ ଇମ୍ରାନ୍‌ ଆମେରିକା ଗସ୍ତରେ ଯାଇ ସେଠାକାର ଏକ ଚ୍ୟାନେଲକୁ ଏଭଳି ବୟାନ ଦେବା ପରେ ପ୍ରକୃତ ସତ କ’ଣ, ତା’କୁ ନେଇ ବିବାଦ ଦେଖାଦେଇଛି।

ଇମ୍ରାନ୍‌ କହିଛନ୍ତି, “ଆମେ ଆମେରିକାକୁ ସର୍ବଦା ଭଲ ବନ୍ଧୁ ବୋଲି ଭାବି ଆସିଛୁ। ସମସ୍ତେ କହୁଛନ୍ତି ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ସୂଚନା ଦେଇଥାଏ। ହେଲେ ସେହି ଆଇଏସ୍‌ଆଇ ହିଁ ଓସାମା ବିନ୍‌ ଲାଡେନ୍‌ର ଅବସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲା। ଆପଣ ଯଦି ସିଆଇଏ(ଆମେରିକା ଗୁଇନ୍ଦା ସଂସ୍ଥା) ପଚାରିବେ, ତାହେଲେ ପ୍ରକୃତ ସତ ଜାଣି ପାରିବେ। ଆଇଏସ୍‌ଆଇ ହିଁ ଫୋନ୍‌ କଲକୁ ଟ୍ରାକ୍‌ କରି ଓସାମାର ଲୋକେସନ୍‌ ପାଇଥିଲା।” ତେବେ ଏ ସମ୍ପର୍କରେ ଖାନ୍‌ ଅଧିକ ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

By amfnews

Related Post