Wed. Sep 2nd, 2026

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ

292 Views

ରାୟଗଡ଼ା  : ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ରାସ୍ତାରୋକ ଚାଲିଥିବା ଜଣାଯାଇଛି।
ଆଜି ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବାଙ୍ଗି ଛକରେ ସକାଳ ୬ରୁ ଅପରାହ୍ନ ୨ଟା ଯାଏଁ କଂଗ୍ରେସର ରାସ୍ତାରୋକ ଚାଲିବ ବୋଲି ଜଣାଯାଇଛି। ଏହି ରାସ୍ତାରୋକ ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ଜଣାଯାଇଛି।
ଟାୟାର ଜାଳି ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ରାସ୍ତାରୋକ ଯୋଗୁଁ ଗଂଜାମ ଓ ଗଜପତିକୁ ଯାତାୟତ ଠପ୍ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ୨୦ ଦିନ ପରେ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ ।
ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ଭାବେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ, ଗତ ମାସ ୨୪ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ରାୟଗଡ଼ାରୁ ଗୁଣୁପୁର ଫେରିବା ବେଳେ ରାମନାଗୁଡ଼ା ତାଣ୍ଡିକଣା ଛକ ନିକଟରେ ବାଇକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗମାଙ୍ଗଙ୍କ ମୃତ୍ୟୁସ୍ଥଳକୁ ଅନୁଧ୍ୟାନ କଲେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡ଼ୁଥିବା ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ କମିଟି ।

By amfnews

Related Post