Fri. Jul 3rd, 2026

ରାଜଧାନୀମୁହାଁ ଦନ୍ତା; ହାବୁଡ଼ରେ ପଡ଼ିଲେ ମହିଳା

183 Views

ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଏକ ଦନ୍ତାହାତୀ ଠାବ ହୋଇଛି। ହାତୀଟି ଆୟୁର୍ବେଦିକ ଉଦ୍ୟାନ ଭିତରେ ପଶି ରହିଛି। ହାତୀ ହାବୁଡ଼ରେ ପଡ଼ି ଫୁଲେଶ୍ୱରୀ ବସ୍ତିର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି।

ବନ ବିଭାଗ କର୍ମଚାରୀ ଆୟୁର୍ବେଦିକ ଜଙ୍ଗଲରେ ଥିବା ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ସନ୍ଧ୍ୟା ବେଳକୁ ତାକୁ ଚନ୍ଦକା ଭିତରକୁ ଘଉଡ଼ାଇ ଦିଆଯିବ ବୋଲି ସୂଚନା ମିଳିଛି। ଘାଟିକିଆରେ ଥିବା ହାତୀଟି ପିପିଲିରେ ଲୋକଙ୍କୁ ମାରିଥିବା ହାତୀ କି ନାହିଁ, ସେନେଇ କିଛି ସ୍ପଷ୍ଟ ହୋଇନଥିବା ବନ ବିଭାଗ ଅଧିକାରୀ କହିଛନ୍ତି।

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଗତକାଲି ଆତଙ୍କ ଖେଳାଇଥିବା ହାତୀ ରାତିରେ ଦନ୍ତା କଣ୍ଟି ଦୟାନଦୀ ବ୍ରିଜ୍ ପାର୍ ହୋଇ ଜଟଣୀ ଅଞ୍ଚଳରେ ପ୍ରବେଶ କରିଥିଲା।  ତେବେ ଆଜି ସକାଳୁ ଘନ କୁହୁଡ଼ି ଯୋଗୁ ଦନ୍ତାର ପତ୍ତା ପାଉନି ବନ ବିଭାଗ। ଗତକାଲି ଦନ୍ତା ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅପରପକ୍ଷେ ପିପିଲିରେ ମାତିଥିବା ଦନ୍ତାକୁ ଘଉଡ଼ାଇବାକୁ ଖୋର୍ଦ୍ଧା ଡିଏଫ୍ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ୫୦ ଜଣିଆ ଟିମ୍ ଦନ୍ତାକୁ ଘଉଡ଼ାଇବା କାମରେ ଲାଗିଛନ୍ତି। ସେପଟେ ଦନ୍ତା ହାତୀ ଉତ୍ପାତ ଯୋଗୁ ଘରୁ ନ ବାହାରିବାକୁ ମାଇକ୍ ଯୋଗେ ବନ ବିଭାଗ ପ୍ରଚାର କରୁଛି। ହାତୀକୁ ନେଇ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

By amfnews

Related Post