Sun. Aug 16th, 2026

ମୋଦି ଓ ଶାହଙ୍କୁ ଆଜି ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ

251 Views

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ନିର୍ବାଚନ ପରେ ଦେଖାଦେଇଥିବା ରାଜନୀତିକ ହିଂସା ବାବଦରେ ରାଜ୍ୟପାଳ ଉଭୟ ମୋଦି ଓ ଶାହଙ୍କୁ ଅବଗତ କରାଇବେ ବୋଲି ସୂଚନା ରହିଛି। ସମ୍ପ୍ରତି ପଶ୍ଚିମ ବଙ୍ଗରେ ଜାରିଥିବା ରାଜନୀତିକ ହିଂସା ଓ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ଦୃଷ୍ଟିରୁ ଏହି ଭେଟଘାଟ ବିଶେଷ ଗୁରୁତ୍ୱ ରହିଥିବା ଜୁହାଯାଉଛି।
ହେଲେ ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟପାଳ କେଶରୀ ନାଥ କହିଛନ୍ତି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ମୋଦିଙ୍କୁ ଭେଟି ସେ ଶୁଭେଚ୍ଛା ଜଣାଇ ନାହାନ୍ତି। ତେଣୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ରାଜ୍ୟପାଳ କହିଛନ୍ତି। ଅନ୍ୟପକ୍ଷେ, ଆସନ୍ତା ଜୁଲାଇ ୨୩ ତାରିଖରେ କେଶରୀ ନାଥଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।
ଗତ ୧୫ ଦିନରେ ୧୨ରୁ ଅଧିକ ବିଜେପି କର୍ମୀ ଓ ସମର୍ଥକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ରହିଛି ବୋଲି ମମତା ସରକାର କହିଥିବା ବେଳେ କେନ୍ଦ୍ର କିନ୍ତୁ ଏହି ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନଥିବା କୁହାଯାଇଛି।

By amfnews

Related Post