Fri. Apr 24th, 2026

ଟ୍ରକ୍‌କୁ ପିଟିଲା ବସ୍‌: ୧୧ ମୃତ, ୨୫ରୁ ଅଧିକ ଆହତ

280 Views

ରାଞ୍ଚି : ଝାରଖଣ୍ଡର ହଜାରିବାଗ ଜିଲ୍ଲା ଧାନୁଆ ଘାଟିରେ ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ବ୍ରେକ୍‌ ଫେଲ୍ ହୋଇଯିବା ଯୋଗୁ ବସ୍‌ଟି ଟ୍ରକ୍‌ରେ ପିଟି ହୋଇଯାଇଥିଲା ବୋଲି ଜଣାପଡ଼ିଛି।

ମୃତକମାନେ ହେଲେ- ମହମ୍ମଦ ମୁଜାହିଦ୍ (ଡ୍ରାଇଭର), ଉପେନ୍ଦ୍ର, ଆଦିତ୍ୟ କୁମାର, ଯୋଗେନ୍ଦ୍ର ପ୍ରସାଦ, ଭାରତୀ ଦେବୀ, ରାମ କ୍ରିଷନ ପ୍ରସାଦ, ରାମାନ୍ଦନ ପାଶ୍ୱାନ, ବଧାନି ମୁଣ୍ଡା ଓ ଶିବଶଙ୍କର ପ୍ରସାଦ। ତେବେ ଆଉ କିଛି ମୃତ ଯାତ୍ରୀଙ୍କ ପରିଚୟ ଜଣାପଡ଼ି ନାହିଁ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

୨ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ଟି ରାଞ୍ଚିରୁ ପାଟନା ମସୌରୀ ଅଭିମୁଖେ ଯାଉଥିଲା। ଜଣେ ଆହତ ଯାତ୍ରୀ ଏକ ନ୍ୟୁଜ୍ ଏଜେନ୍ସୀକୁ କହିଛନ୍ତି,“ବସ୍‌ଟି ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ଯାଉଥିବା ବ୍ରେକ୍ ଫେଲ୍ ହୋଇଯାଇଥିଲା। ଡ୍ରାଇଭର ବସ୍‌କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ରେ ବସ୍‌ଟି ପିଟି ହୋଇଥିଲା।”

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି,“ଯେଉଁ ସ୍ଥାନରେ ଏ ଦୁର୍ଘଟଣା ଘଟିଛି, ତାହାକୁ ବ୍ଳକ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ଗତ ଛଅ ମାସରେ ଉକ୍ତ ସ୍ଥାନରେ ଦୁର୍ଘଟଣାରେ ଅତିକମ୍‌ରେ ୧୫୦ ଲୋକଙ୍କ ଜୀବନ ଯାଇଛି।”

By amfnews

Related Post