Fri. Jul 3rd, 2026

ମଦ ବୋଝଇ ଟ୍ରକ୍ ଲୁଟ୍!

244 Views

ବ୍ରହ୍ମପୁର , ଡିସେମ୍ବର ୦୬ : ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ ଘାଟିରୁ ଗତକାଲି ରାତିରେ ଏକ ମଦ ବୋଝେଇ ଟ୍ରକ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଟ୍ରକ୍‌ ଡ୍ରାଇଭର୍ ଓ ହେଲପର୍‌ଙ୍କୁ ମାଉଜର୍ ଦେଖାଇ ଏକ ଇନୋଭା ଗାଡ଼ିରେ ଅପହରଣ କରି ନେଇଥିଲେ। ଅପହରଣକାରୀ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଟ୍ରକ୍ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର୍ ତଥା ଟ୍ରକ ମାଲିକ ରଂଜନ ନାହାକ ଓ ହେଲପର୍‌ଙ୍କୁ ମାଡ଼ ମାରି ବାଣପୁର ଠାରୁ ୧୦କିମି ଦୂରରେ ରାସ୍ତା କଡ଼େ ଫୋପାଡ଼ି ନଦଇ ଚାଲି ଯାଇଥିଲେ। ଆଜି ସକାଳେ କୌଣସି ମତେ ରଂଜନ ସେଠାରୁ ବହୁ କଷ୍ଟରେ ଆସି ସଂଧ୍ୟାରେ ଖଲ୍ଲିକୋଟ ଥାନାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ କୌଣସି ମାମଲା ରୁଜୁ ହୋଇ ନାହିଁ।

ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିବାସୀ ରଂଜନ ଗତକାଲି ସଂଧ୍ୟାରେ ହେଲପର୍ ସହିତ ତାଙ୍କର ଟ୍ରକ୍(ଓଆର୦୪ ଏଲ-୬୧୦୪)ରେ ଗୋପାଳପୁର ୟୁନାଇଟେଡ୍ ସ୍ପିଟିର୍ କାରଖାନାରୁ ମଦ ବୋଝେଇ କରି କଟକ ନିର୍ଗୁଣ୍ଡି ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ୧୧ଟା ବେଳେ ସେମାନେ ଖଲ୍ଲିକୋଟ ବଡ଼ ଘାଟି ଅତିକ୍ରମ କରୁଥିବା ବେଳେ କିଛି ଲୋକ ଟ୍ରକ୍ ଅଟକାଇ ଥିଲେ। ଟ୍ରକ୍ ରହିବା କ୍ଷଣି ପ୍ରାୟ ୮ରୁ ୧୦ଜଣ ଲୋକ ଡ୍ରାଇଭର୍ ରଂଜନଙ୍କୁ ବାହାରକୁ ଟାଣି ନିସ୍ତୁକ ମାଡ଼ ମାରିଥିଲେ। ଏହା ଦେଖି ହେଲପର୍ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହାପରେ ପ୍ରାୟ ୫ଜଣ ଦୁର୍ବୃତ୍ତ ଏକ ଇନୋଭା କାର୍‌ରେ ଡ୍ରାଇଭର୍ ଓ ହେଲପର୍‌ଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଉଭୟଙ୍କୁ ବାଲୁଗାଁ ବାଇପାସ୍ ଦେଇ ଜାତୀୟ ରାଜପଥରେ ବାଣପୁର ପର୍ଯ୍ୟନ୍ତ ନେଇଥିଲେ। ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ପୁଣିଥରେ ଉଭୟଙ୍କୁ ମାଡ଼ ମାରି ଲହୁଲୁହାଣ କରି ରାସ୍ତା କଡ଼େ ଠେଲି ଅପହରଣକାରୀ ଚମ୍ପଟ ମାରିଥିଲେ। ଟ୍ରକ୍‌ରେ ପ୍ରାୟ ୪୦/୫୦ଲକ୍ଷ ଟଙ୍କାର ମଦ ବୋଝେଇ ହୋଇଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

By amfnews

Related Post