Thu. Sep 3rd, 2026
243 Views

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁର ୧୨ ବର୍ଷର ନାବାଳିକା ଜନନୀ ରଣା ନିଖୋଜ ହେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଜନନୀଙ୍କୁ ତାଙ୍କ ବଡ଼ ଭାଇ ହତ୍ୟା କରିଥିବା ପୁଲିସ୍ କହିଛି। ସେ ପୁଲିସ୍ ନିକଟରେ ନିଜ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତର ଶୋଭାବନ।

ଡିସେମ୍ୱର ୨୪ ତାରିଖରେ ଶୋଭାବନକୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ଜନନୀ ନିଖୋଜ ହୋଇଯାଇଥିଲା। ଏହାପରେ ଗାଁ ଲୋକେ ଜନନୀକୁ ତାଙ୍କ ଭାଇ ଶୋଭାବନ ବଳି ଦେଇଥିବା ସନ୍ଦେହ କରି ତାକୁ ଗିରଫ କରିବାକୁ ଦାବି କରିଥିଲେ। ଏପରିକି ଗାଁର ଶତାଧିକ ମହିଳା ଓ ପୁରୁଷ  ଡିସେମ୍ୱର ୨୯ ତାରିଖରେ ସିନ୍ଧେକେଲା ଥାନା ଘେରାଉ କରିଥିଲେ। ପରେ ପୁଲିସ ଶୋଭାବନକୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା।

ଜନନୀକୁ ହତ୍ୟା କରିଥିବା ନେଇ ଶୋଭାବନ ମାନିଲା ପରେ  ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହିତ ପୁଲିସ୍ ମୃତଦେହ ଉଦ୍ଧାର କରିବାକୁ ବରକାନୀ ଗାଁର ଗୁଜିଚକା ଜଙ୍ଗଲକୁ ଯାଇଥିଲା। ତେବେ ଘଟଣା ସମ୍ପର୍କରେ ଆସନ୍ତାକାଲି ପୁଲିସ୍‌ ସାମ୍ୱାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବ।

ସୁଚନାଯୋଗ୍ୟ, ଗତ ୨୦୧୮ ଅକ୍ଟୋବର ୧୩ ତାରିଖରେ ଶୋଭାବନ ନିଜର ମାମୁ ପୁଅ ଭାଇ ମିଥୁନକୁ ବଳି ଦେଇ ଗିରଫ ହୋଇ ଜେଲ୍‌ ଯାଇଥିଲା।  ନିକଟରେ ସେ ଜେଲରୁ ଜାମିନ୍‌ରେ ଆସିଥିଲା।

By amfnews

Related Post