Fri. Apr 24th, 2026

ବିମାନ ଦୁର୍ଘଟଣାରେ ପ୍ରଶିକ୍ଷକ ଓ ତାଲିମ ଗ୍ରହଣକାରୀ ପାଇଲଟ୍‌ ମୃତ

178 Views

ଭୋପାଳ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଢାନା ଏୟାର୍‌ଷ୍ଟ୍ରିପ୍‌ ନିକଟରେ ରୁଟିନ୍‌ ତାଲିମ ସମୟରେ ଗୋଟାଏ ଦୁଇ-ଆସନବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ ବ୍ୟକ୍ତିଦ୍ୱୟ ହେଉଛନ୍ତି ପ୍ରଶିକ୍ଷକ ଅଶୋକ ମକ୍‌ଓ୍ଵାନା ଏବଂ ତାଲିମ ଗ୍ରହଣକାରୀ ପାଇଲଟ୍‌ ପୀୟୂଷ ଚାଣ୍ଡେଲ୍‌।

ତାଲିମ ନିମନ୍ତେ ଉଦ୍ଦିଷ୍ଟ ‘ଚାଇମ୍‌ସ୍‌ ଏକାଡେମି’ର ସେ ବିମାନର ପାଇଲଟ୍‌ମାନେ ଢାନା ଏୟାର୍‌ଷ୍ଟ୍ରିପ୍‌ରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ପାଖ କ୍ଷେତରେ ଖସିପଡ଼ିଥିଲା। ଘନ କୁହୁଡ଼ି ଯୋଗୁଁ ଦୁଇ ପାଇଲଟ୍‌ ରନ୍‌େଓ୍ଵ ଦେଖି ନ ପାରିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ଦୁର୍ଘଟଣା ଘଟିଥିବା କଥା ସତ ବୋଲି ‘ଚାଇମ୍‌ସ୍‌ ଏକାଡେମି’ର ସ୍ଥାନୀୟ ପ୍ରଶାସକ ରାହୁଳ ଶର୍ମା କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେସ୍‌ନା ୧୭୨ ବିମାନରେ ଥିଲା ଗୋଟାଏ କାଚ କକ୍‌ପିଟ୍‌। ରାତିରେ ଉଡ଼ାଇବା ଲାଗି ସେଥିରେ ଆବଶ୍ୟକ ସୁବିଧା ଥିବା କଥା ଏକାଡେମି ସୂତ୍ରରୁ ପ୍ରକାଶ।

ଏକାଡେମିର େଓ୍ଵବ୍‌ସାଇଟ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଏହା ବ୍ୟାବସାୟିକ ପାଇଲଟ୍‌ ଲାଇସେନ୍‌ସ୍‌ ଏବଂ ଘରୋଇ ପାଇଲଟ୍‌ ଲାଇସେନ୍‌ସ୍‌ ପାଠ୍ୟକ୍ରମ ଶିକ୍ଷା ଦିଏ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳ ନାଥ ଟୁଇଟ୍‌ କରି ମୃତ ପାଇଲଟ୍‌ଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇଛନ୍ତି।

By amfnews

Related Post