Sat. Aug 8th, 2026

ବାଲେଶ୍ୱରରେ ଫକୀର ମୋହନ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଆଜିଠୁ ଆରମ୍ଭ ହେବ ପାଠପଢ଼ା

435 Views

ବାଲେଶ୍ୱର , ସେପ୍ଟେମ୍ବର ୩ :

 ଦୀର୍ଘଦିନ ପରେ ବାଲେଶ୍ୱରବାସୀଙ୍କ ଆଶା ପୂରଣ ହୋଇଛି । ବହୁ ପ୍ରତୀକ୍ଷିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି। ଏହି ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ।

ଦୀର୍ଘଦିନ ଧରି ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ଦାବି କରି ଆସୁଥିବାବେଳେ ଆଜି ସେମାନଙ୍କ ଆଶା ପୂରଣ ହୋଇଛି। ଆଜିର ଦିନଟି ବାଲେଶ୍ୱର ଜିଲ୍ଲା ପାଇଁ ସ୍ମରଣୀୟ ହୋଇ ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ମ ୧୧ଟା ୨୫ ମିନିଟରେ ବାଲେଶ୍ୱରରେ ପହଂଚିବା ପରେ ୧୧.୩୦ରେ ମେଡିକାଲ କଲେଜ ଅଡିଟୋରିୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି କଲେଜ ପ୍ରାଙ୍ଗଣରେ ଥିବା ଫକୀର ମୋହନଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

୧୦୦ ସିଟ୍ ବିଶିଷ୍ଟ ଏହି ସରକାରୀ ମେଡିକାଲ କଲେଜରେ ପ୍ରଥମ ବର୍ଷରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ଆଜିଠାରୁ ଠାରୁ ପାଠପଢା ଆରମ୍ଭ ହେବ। ଏହି ମେଡିକାଲ ଦ୍ୱାରା ଉତ୍ତର ଓଡିଶାର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ରାଜ୍ୟ ବାହାର ଛତିଶଗଡ, ଝାଡଖଣ୍ଡ ଓ ପୋଡୋଶୀ ରାଜ୍ୟବାସୀ ମାନେ ସେଠାକୁ ଯାଇ ମଧ୍ୟ ଚିକିତ୍ସାର ସୁବିଧା ପାଇପାରିବେ। ପ୍ରକାଶ ଥାଉ କି, ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବାଲେଶ୍ୱର ମେଡିକାଲ କ୍ରିୟାନୁଷ୍ଠାନ କମିଟି ୧୨ ବର୍ଷ ଧରି ଆନ୍ଦୋଳନ କରିଥିଲେ।      

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅନନ୍ତ ଦାସ, ସ୍ୱାସ୍ଥ୍ୟ ସଚ୍ଚିବ ପ୍ରମୋଦ ମେହେର୍ଦ୍ଦା, ବିଧାୟକ ଓ ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

By amfnews

Related Post