Fri. Sep 11th, 2026

ବଞ୍ଜାରା ସାଜିଛନ୍ତି ଲୁଟେରା, ନିଶା ଶୁଙ୍ଘାଇ ଲୁଟି ନେଉଛନ୍ତି ଟଙ୍କା, ସୁନା

180 Views

ଚନ୍ଦ୍ରଶେଖରପୁର: ରାଜଧାନୀରେ ବିଭିନ୍ନ ପ୍ରକାର ଗ୍ରହ ପଥର ମୁଦି, ଡେଉଁରିଆ ବିକ୍ରି କରୁଥିବା ଓ ହାତ ଦେଖି ଭାଗ୍ୟ କହୁଥିବା ବଞ୍ଜାରା (ଯାଯାବର) ଏବେ ଲୁଟେରା ସାଜିଛନ୍ତି। ଏମିତି ଘଟଣା ‌ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ୍‌କୁ ଆଧାର କରି ଏବେ ସେମାନଙ୍କୁ କାବୁ କରିବା ପାଇଁ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଥାନା ପକ୍ଷରୁ ସ୍ବତନ୍ତ୍ର ଦଳ ପାଟ୍ରୋଲିଂ ଆରମ୍ଭ କରିଥିବା ସୂଚନା ମିଳିଛି। ଗତ ଶନିବାର ବିଡିଏ କଲୋନିରେ ସମରେନ୍ଦ୍ର ସାହୁଙ୍କ ନିକଟକୁ ଜଣେ ବଞ୍ଜାରା କାର୍ ଯୋଗେ ଆସି ସମରେନ୍ଦ୍ରଙ୍କ ଶନିଦଶାର ସମାଧାନ ନିମନ୍ତେ କିଛି ବିଭୂତି ଦେଇଥିଲା। ପରେ ସେ ଚାମ୍ବରରେ ଏକୁଟିଆ ଥିବା ଦେଖି ପରିବାର ମଙ୍ଗଳ କାମନା ପାଇଁ ସିନ୍ଦୁର ଲଗାଇବା ଆଳରେ ‌କ୍ଲୋରୋଫମ୍ ଶୁଙ୍ଘାଇ ଦେଇଥିଲେ।

ଅଚେତ ହେବା ପରେ ବଞ୍ଜାରା ସମରେନ୍ଦ୍ର ନିକଟରେ ଥିବା ସୁନା ମୁଦି ଓ ୩୦ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଥିଲା। ସେହିଭଳି କିଛି ଦିନ ପୂର୍ବେ ଶୈଳଶ୍ରୀବିହାର ମୋନାଲିସା ବିନ୍ଧାଣୀଙ୍କଠାରୁ ଜଣେ ବଞ୍ଜାରା ୨୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲା। ଆଜି ମଞ୍ଚେଶ୍ବର ବଜାରର ଦେବ ସାହୁଙ୍କ ବ୍ୟବସାୟ ଭଲ ହେବା ନେଇ ଜଣେ ବଞ୍ଜାରା ଏକ ରୁଦ୍ରାକ୍ଷ ସହ ରୁପା ମୁଦି ପୂଜା କରିଦେଇଥିଲା। ପରେ ତାଙ୍କୁ ଝୁଣା ଆଳତି ଦେବା ଆଳରେ ନିଶା ଶୁଙ୍ଘାଇ ଅଚେତ କରି ୭ ହଜାର ଟଙ୍କା ଓ ଏକ ଦାମୀ ଘଣ୍ଟା ନେଇ ଫେରାର୍ ହୋଇଯାଇଥିଲା। ସୂଚନାଥାଉକି, ରାଜଧାନୀର ବିଭିନ୍ନ ସ୍କୁଲ୍ ହତା, ଖେଳପଡ଼ିଆ, ‌ପ୍ଲାଟଫର୍ମ ଓ ନିଛାଟିଆ ସ୍ଥାନରେ ଟେଣ୍ଟ୍ ପକାଇ ଏହି ‌ଅଣ ଓଡ଼ିଆ ଲୋକମାନେ ପରିବାର ସହ ରହୁଛନ୍ତି। କିନ୍ତୁ ସେମାନେ ବିଭିନ୍ନ ଆଳରେ ରାଜଧାନୀରେ ଲୁଟ୍ କରୁଛନ୍ତି ବୋଲି ସ୍ଥାନୀୟ ଥାନାରେ ଅଭିଯୋଗ ହେଉଛି।

By amfnews

Related Post