Sat. Aug 22nd, 2026

ପୂର୍ବତନ କର୍ମଚାରୀଙ୍କ ଗୁଳି ଚୋଟରେ ଟାଟା ଷ୍ଟିଲ୍‌ର ବରିଷ୍ଠ ମ୍ୟାନେଜର ମୃତ

189 Views

ଫରିଦାବାଦ, ୧୦ା୧୧: ଅଗଷ୍ଟ ମାସରେ କମ୍ପାନିରୁ ବହିଷ୍କୃତ ହୋଇଥିବା ଟାଟା ଷ୍ଟିଲ୍‌ ପ୍ରୋସେସିଙ୍ଗ୍‌ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁସନ୍‌ର ଜଣେ କର୍ମଚାରୀ ଶୁକ୍ରବାର ଅପରାହ୍ଣରେ ଜଣେ ବରିଷ୍ଠ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଥିବା କଥା ପୁଲିସ କହିଛି।

ଆହ୍ଲାବାଦବାସୀ ୩୨ ବର୍ଷିୟ ବିଶ୍ୱାସ ପାଣ୍ଡେ ହାର୍ଡେଓ୍ଵର୍‌-ବାଟା ରୋଡ୍‌ସ୍ଥିତ ଟାଟା ଷ୍ଟିଲ୍‌ ୟାର୍ଡ ମଧ୍ୟକୁ ପ୍ରବେଶ କରି କମ୍ପାନିର ସପ୍ଲାଇ ଚେନ୍‌ରେ ବରିଷ୍ଠ ପରିଚାଳକ ଥିବା ୪୦ ବର୍ଷିୟ ଅରିନ୍ଦମ ପାଲ୍‌ଙ୍କ ଉପରକୁ ୪/୫ଟି ଗୁଳି ମାରିଥିଲେ।

ଅନ୍ୟ କର୍ମଚାରୀମାନେ ପାଲ୍‌ଙ୍କୁ ତୁରନ୍ତ ଡାକ୍ତରଖାନା ନେଇଗଲେ ଏବଂ ଡାକ୍ତରମାନେ ତାଙ୍କୁ ପହଞ୍ଚାଇବା ବେଳେ ମୃତ୍ୟୁ ହୋଇଥିବା କଥା ଘୋଷଣା କରିଥିଲେ। ପାଣ୍ଡେଙ୍କୁ ଗିରଫ କରିବା ନିମନ୍ତେ ତଲାସ ଜାରି ରହିଥିବା କଥା ପୁଲିସ କହିଛି।

ମୁଜେସାର ଥାନାର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ଅଶୋକ କୁମାର କହନ୍ତି: ଆମେ ଡାକ୍ତରଖାନାରୁ ଖବର ପାଇଲୁ। ଆମେ ସେଠାରେ ପହଞ୍ଚିବା ବେଳକୁ ପାଲ୍‌ ମରି ସାରିଥିଲେ।ଆମେ କେସ୍‌ ସଂକ୍ରାନ୍ତରେ ଏକ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛୁ ଏବଂ ଅପରାଧ ଘଟାଇ ଖସି ପଳାଇଥିବା ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ତଲାସ ଆରମ୍ଭ କରିଛୁ।ବାଦଶାହା ଖାଁ ଡାକ୍ତରଖାନାର ଶବାଗାରରେ ପାଲ୍‌ଙ୍କ ଶବ ରଖାଯାଇଛି। ରବିବାର ଦିନ ଶବ ବ୍ୟବଚ୍ଛେଦ କରାଯିବ।

ମୃତ ପାଲ୍‌ଙ୍କର ବିଧବା ପତ୍ନୀ, ବାପାମାଆ ଓ ଗୋଟିଏ ଝିଅ ଅଛନ୍ତି। ଟାଟା ଷ୍ଟିଲ୍‌ ପ୍ରୋସେସିଙ୍ଗ୍‌ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁସନ୍‌ ଏକ ବିବୃତିରେ ପାଲ୍‌ଙ୍କ ପରିବାର ପ୍ରତି ତା’ର ଦୁଃଖ ପ୍ରକାଶ କରିଛି।ଏହି ସଙ୍କଟ ସମୟରେ କମ୍ପାନି ତାଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।ଅଭିଯୁକ୍ତ ପାଣ୍ଡେ କମ୍ପାନିରେ ୨୦୧୫ ରୁ ୨୦୧୮ ଯାଏଁ କାମ କରିଥିଲେ। ଅଗଷ୍ଟ ମାସରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

By amfnews

Related Post