Tue. Oct 6th, 2026

ପୁରୀ : ଶ୍ରୀସେତୁ ପାଇଁ ମାପଚୁପ ଆରମ୍ଭ

353 Views

ପୁରୀ : ପୁରୀ ହେବ ବିଶ୍ବ ଐତିହ୍ୟ ସହର। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରକ୍ରିୟା। ଇତି ମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ସହ ଲୋକସେବା ଭବନ, ବହୁତଳ ପାର୍କିଂ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଯୋଜନାର ପ୍ରମୁଖ ପ୍ରକଳ୍ପ ଶ୍ରୀସେତୁ ପାଇଁ ମାପଚୁପ ଆରମ୍ଭ ହୋଇଛି। ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଟ୍ରାଫିକ୍‌ ଜାମ୍‌ରୁ ଦୂରେଇ ଶ୍ରୀସେତୁ ଜରିଆରେ ଯେ ଭଳି ସିଧାସଳଖ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭରେ ପହଞ୍ଚିପାରିବେ ସେଥିପାଇଁ ମ୍ୟାପର ଡିଜାଇନ ପ୍ରସ୍ତୁତ ହୋଇଛି। ଯଥାଶୀଘ୍ର ଏହି କାମ ଆରମ୍ଭ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଥିବାରୁ ଶ୍ରୀସେତୁର ନକ୍ସା ପ୍ରସ୍ତୁତ ହେବା ପରେ ଏବେ ଜମି ମାପଚୁପ କାମ ଶେଷ ହୋଇଛି। କେଉଁ କେଉଁ ଜାଗା ଦେଇ ଶ୍ରୀସେତୁ ଯିବ, ତାର ନକ୍ସା ପ୍ରସ୍ତୁତ ହୋଇଛି। ଏଥି ପାଇଁ ପ୍ରାୟ ୪୦ ଏକର ଜାଗାର ଆବଶ୍ୟକତା ଅଛି। ନକ୍ସା ଅନୁଯାୟୀ ଯେଉଁ ସବୁ ଜାଗା ଚିହ୍ନଟ ହୋଇଛି, ସେଠାର ମାଟି ମଧ୍ୟ ପରୀକ୍ଷା ସରିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନତିକରଣ ସହ ଶ୍ରୀସେତୁ, ହ୍ରଦ, ବହୁତଳ ପାର୍କିଂ ଆଦିର ଡିଜାଇନ ରାଜ୍ୟ ସରକାର ଏକକାଳୀନ ଘୋଷଣା କରିଥିଲେ। ଶ୍ରୀସେତୁର ଡିଜାଇନ ଘୋଷଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାପଚୁପ ଆରମ୍ଭ ହୋଇଛି। ସେତୁ ପାଇଁ ଅଧିଗ୍ରହଣ ହେବାକୁ ଥିବା ୪୦ ଏକର ଜମିରେ ଅଧିକାଂଶ ସରକାରୀ ଓ ଶ୍ରୀମନ୍ଦିର ଜମି ବୋଲି ଜଣାପଡ଼ିଛି। ବହୁତ କମ୍ ଘରୋଇ ଜମି ରହିଛି।

ଶ୍ରୀସେତୁ ପାଇଁ ପୁରୀ ଭୁବନେଶ୍ବର ପାଇପାସ୍ ରାସ୍ତାର ସୁଜାତା ନଗର ନିକଟରୁ ଓଭରବ୍ରିଜ କାମ ଆରମ୍ଭ ହେବ। ସୁଜାତା ନଗର ନିକଟରେ ଓଭରବ୍ରିଜକୁ ଯାଆସ ପାଇଁ ଏକ ଗୋଲେଇ ଛକ ତିଆରି କରାଯିବ। ଏହା ଦ୍ବାରା ପୁରୀ, ଭୁବନେଶ୍ବର ସହ ବ୍ରହ୍ମଗିରି ଆଡ଼ୁ ଆସୁଥିବା ଲୋକେ ଏହି ସେତୁ ଦେଇ ଯାଆସ କରିପାରିବେ। ସେତୁ ପାଇଁ ମଙ୍ଗଳାଘାଟ ଓ ବାଟଗାଁ ବାଇପାସ୍ ରାସ୍ତାରେ ଓଭରବ୍ରିଜ୍ ନିର୍ମାଣ ହେବ। ଏହା ସୁଜାତା ନଗର, ମାଟିତୋଟା ଦେଇ ଭିତରେ ଭିତରେ ଗୋଖା ସାହି ନିକଟରେ ପୁରୀ ବ୍ରହ୍ମଗିରି ରାସ୍ତାକୁ ସଂଯୋଗ କରିବ। ଏହି ଠାରେ ହିଁ ଓଭରବ୍ରିଜ୍ ନିର୍ମାଣ କରାଯାଇ ମିଟିଆଣି ଦେଇ ଜଗନ୍ନାଥ ବଲ୍ଲଭରେ ସଂଯୋଗ ହେବ। ଚାରିଲେନ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀସେତୁର ଚଉଡ଼ା ସର୍ବନିମ୍ନ ୬୬ ମିଟର ରଖିବାକୁ ନିଷ୍ପତି ନିଆଯାଇଛି। ଶ୍ରୀସେତୁ ପାଇଁ ଦୁଇଟି ସ୍ଥାନରେ ଓଭରବ୍ରିଜ୍ ନିର୍ମାଣ କରାଯିବ ଏବଂ ପୁରୀ-ବ୍ରହ୍ମଗିରି ମୁଖ୍ୟ ରାସ୍ତାକୁ ମଧ୍ୟ ସଂଯୋଗ କରିବ ବୋଲି ଜଣାପଡ଼ିଛି।

By amfnews

Related Post