Sun. Apr 28th, 2024

ନିରହଙ୍କାରୀ ଡ. ବଂଶୀଧର ପଣ୍ଡା

patnaikprasanta1@gmail.com' By Prasanta Patnaik Jun 3, 2018 #Featured
525 Views

ପ୍ରଶାନ୍ତ ପଟ୍ଟନାୟକ:
ବିଜୁ ପଟ୍ଟନାୟକଙ୍କ ଭଳି ଓଡ଼ିଆ ଶିଳ୍ପପତି ଭାବରେ ଖ୍ୟାତି ଲାଭ କରିଥିବା ଦ୍ୱିତୀୟ ବ୍ୟକ୍ତି ଥିଲେ ଡ. ବଂଶୀଧର ପଣ୍ଡା । ଅବିଭକ୍ତ କୋରାପୁଟର ଥିରୁବାଲ୍ଲିଠାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ୍ ମେଟାଲ୍ ଆଣ୍ଡ୍ ଫେରାଆଲଏଜ୍ (ଇମ୍ଫା) କାରଖାନାଟି ସମଗ୍ର ଦେଶରେ ବେଶ୍ ପରିଚିତ ଥିଲା । ଶ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ, କଳିଙ୍ଗ ଟ୍ୟୁବ୍ସ ପ୍ରଭୃତି ଯେଭଳି ଓଡ଼ିଆ ପତ୍ରପତ୍ରିକାଗୁଡ଼ିକୁ ବିଜ୍ଞାପନ ଦେଇ ପୃଷ୍ଠପୋଷକତା କରୁଥିଲେ, ଡ. ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଇମ୍ଫା ଓଡ଼ିଆ ପତ୍ରପତ୍ରିକାଗୁଡ଼ିକୁ ଅନୁରୂପ ଭାବରେ ପୃଷ୍ଠପୋଷକତା କରୁଥିବାରୁ ଲେଖକ, ସାହିତ୍ୟିକ, ସମ୍ପାଦକମାନଙ୍କ ଦ୍ୱାରା ଆଦୃତ ହେଉଥିଲା ।
ମୁଁ ୧୯୬୬ ମସିହାରୁ ପେଶାଦାର ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ଦିନଠାରୁ ଡ. ପଣ୍ଡାଙ୍କ ସମ୍ପର୍କରେ ଅବଗତ ଥିଲି । ସେତେବେଳେ କଟକ ଓ ଭୁବନେଶ୍ୱରରେ ସାମ୍ବାଦିକମାନଙ୍କର ସଂଖ୍ୟା ୨୦ରୁ ୨୫ ଭିତରେ ସୀମିତ ଥିଲା । ଡ. ପଣ୍ଡା ସାମ୍ବାଦିକମାନଙ୍କ ସହ ସୁ ସମ୍ପର୍କ ରଖିବା ଲାଗି ଆଗ୍ରହୀ ଥିବାରୁ ପ୍ରାୟ ପ୍ରତିବର୍ଷ ଥରେ ଲେଖାଏଁ ଭୁବନେଶ୍ୱରର ବମ୍ବିଖାଲଠାରେ ଥିବା ତାଙ୍କର ବାସଭବନରେ ସାମ୍ବାଦିକମାନଙ୍କୁ ଡାକି ଆପ୍ୟାୟିତ କରୁଥିଲେ । ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଇଲା ପଣ୍ଡା ରାଜ୍ୟର ଜଣାଶୁଣା ବ୍ୟକ୍ତିତ୍ୱ । ପ୍ରଫେସର ଘନଶ୍ୟାମ ଦାସଙ୍କ କନ୍ୟା ହୋଇଥିବାରୁ ସାମ୍ବାଦିକମାନଙ୍କୁ ଆତିଥ୍ୟ ଯୋଗାଇ ଦେବାରେ ସର୍ବଦା ଡ. ପଣ୍ଡାଙ୍କୁ ସହଯୋଗ କରୁଥିଲେ ।
ବନାରସ ହିନ୍ଦୁ ୟୁନିଭରସିଟିରୁ ସ୍ନାତକ ଶିକ୍ଷା ସମାପ୍ତ ପରେ ପରେ ମିଚ୍ଗେନ୍ ଟେକ୍ନୋଲୋଜି ୟୁନିଭରସିିଟି ଓ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ପରେ ପରେ ସେ ଆମେରିକାରେ ଗବେଷକ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ଆଦିବାସୀ ବହୁଳ ତଥା ପଛୁଆ ଜିଲ୍ଲା କୋରାପୁଟ ଜିଲ୍ଲାରେ ୧୯୬୧ ମସିହାରେ ଇମ୍ଫା ପ୍ରତିଷ୍ଠାନର ଶୁଭାରମ୍ଭ କରିଥିଲେ ।


ଜଣେ ପେଶାଦାର ସାମ୍ବାଦିକ ଓ ଜଣେ ଓଡ଼ିଆ ଶିଳ୍ପପତିଙ୍କ ମଧ୍ୟରେ ଥିବା ପରିଚୟ ଡ. ପଣ୍ଡାଙ୍କ ସହ ମୋର ପରିଚୟ ମଧ୍ୟରେ ସୀମିତ ହିଁ ରହିଥିଲା । ତାଙ୍କ ସହ ସର୍ବଦା ସମ୍ମାନଜନକ ଦୂରତ୍ୱ ରଖିବା ଲାଗି ମୁଁ ଉଦ୍ୟମ କରୁଥିଲି ।
ଇମ୍ଫାରେ କାର୍ଯ୍ୟରତ ତଦନାନ୍ତୀନ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମାର୍କସ୍ ସୁକୁମାର ଦାସ ଜଣେ ଦକ୍ଷ ଲୋକସମ୍ପର୍କ ଅଧିକାରୀ ଭାବରେ ରାଜ୍ୟର ଅଧିକାଂଶ ସାମ୍ବାଦିକମାନଙ୍କ ସହ ଘନିଷ୍ଠ ଥିଲେ । ସେତେବେଳେ ଇମ୍ଫା କମ୍ପାନୀର ପ୍ରଚାର ନିମନ୍ତେ ଆବଶ୍ୟକୀୟ ଫଟୋଗ୍ରାଫ୍ ରାଜ୍ୟସରକାରଙ୍କ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ସାମ୍ବାଦିକମାନେ ହିଁ ଉଠାଉଥିଲେ । ସରକାରୀ ଫଟୋଗ୍ରାଫର୍ମାନେ ସାଧାରଣତଃ ରୋଲି ଫ୍ଲେକ୍ସ/ ରୋଲିକଡ୍ ବା ୟାଶିକା ୬୩୫ କ୍ୟାମେରା ବ୍ୟବହାର କରୁଥିଲେ । ଯେଉଁଗୁଡ଼ିକରେ ସର୍ଟର୍ଗୁଡ଼ିକ ମେଟାଲିକ୍ ସର୍ଟର୍ ଥିଲା ଏବଂ ଫଟୋ ଉଠାଇବା ପରିସର ମଧ୍ୟ ସୀମିତ ଥିଲା । ତେଣୁ କଲିକତାରୁ ଫଟୋଗ୍ରାଫର୍କୁ ଆଣି ଇମ୍ଫା କାରଖାନାର ଫଟୋ ଉଠାଇବା ଲାଗି ଚିନ୍ତା କରାଯାଉଥିବା ସମୟରେ ଇମ୍ଫା କମ୍ପାନୀର ବିଜ୍ଞାପନ ଦାୟିତ୍ୱରେ ଥିବା କଲିକତାର ଏକ ପ୍ରଖ୍ୟାତ ବିଜ୍ଞାପନ କମ୍ପାନୀର ପ୍ରତିନିଧି ଶ୍ରୀ ଗୋପାଳ ମଜୁମ୍ଦାର୍ ପ୍ରସ୍ତାବ ଦେଇଥିଲେ ଯେ, କଲିକତାରୁ ପ୍ରଫେସନାଲ୍ ଇଣ୍ଡଷ୍ଟ୍ରିଆଲ୍ ଫଟୋଗ୍ରାଫର୍କୁ ଆଣି ଫଟୋ ଉଠାଇବା ଯେ ବ୍ୟୟବହୁଳ ତାହା ନୁହେଁ, କଷ୍ଟସାଧ୍ୟ ମଧ୍ୟ ହେବ । ସେତେବେଳେ ମୋ’ ପାଖରେ ଅତ୍ୟାଧୁନିକ ଆଶାୟୀ ପିନ୍ଟାକ୍ସ ଓ ନିକନ୍ କ୍ୟାମେରା ଥିବାରୁ ମୁଁ ୱାଇଡ୍ ଆଙ୍ଗେଲ୍, ଟେଲି ଫଟୋ ଓ ଜୁମ୍ ଲେନ୍ସ ବ୍ୟବହାର କରି ଆବଶ୍ୟକୀୟ ଫଟୋ ନେବା ସମ୍ଭବପର ହୋଇଥିବାରୁ ମୋ’ ଦ୍ୱାରା ସେହି କାର୍ଯ୍ୟଟି କରାଇବା ଲାଗି ସ୍ଥିର କରିଥିଲେ । ଏବଂ ଶ୍ରୀ ମାର୍କ୍ସ ସୁକୁମାର ଦାସଙ୍କ ସହ ଶ୍ରୀ ମଜୁମ୍ଦାର୍ ମୋ’ ନିକଟକୁ ଆସି ମୋତେ ସେମାନଙ୍କ ସହ ଥେରୁବାଲି ଯାଇ ଏହି କାର୍ଯ୍ୟ କରିବା ପାଇଁ ଅନୁରୋଧ ଜଣାଇଥିଲେ । ମୋ’ ସହ ଲୋକସମ୍ପର୍କ ବିଭାଗର ମୁଖ୍ୟ ଫଟୋଗ୍ରାଫର୍ ଶ୍ରୀ ନଟବର ଦାସ ମଧ୍ୟ ଇମ୍ଫା କାରଖାନାର ଫଟୋ ଉଠାଇବା ଲାଗି ନିମନ୍ତ୍ରିତ ହୋଇଥିବା ସେମାନେ ମତ ଜଣାଇଥିଲେ ।

ଇମ୍ଫା କାରଖାନା ସହ ନୂତନ ସ୍ଥାପତ୍ୟ ଶୈଳୀରେ ନିର୍ମିତ ପାଣି ଟାଙ୍କିଟି ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହେଉଥିବାରୁ କାରଖାନା ସହ ପାଣି ଟାଙ୍କିକୁ ମିଶାଇ ଫଟୋ ଉଠାଇ ଯାଇପାରିଲେ, ତାହା ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଶ୍ରୀ ମଜୁମ୍ଦାର୍ ପ୍ରସ୍ତାବ ଦେଇଥିଲେ । ଏହାଛଡ଼ା ଫେରୋଆଲାଇଜ୍ ପ୍ରସ୍ତୁତି ନିମନ୍ତେ ଉତ୍ପାଦିତ ହେଉଥିବା ଧାତବ ପିଣ୍ଡଗୁଡ଼ିକ ପ୍ରସ୍ତୁତ କରିବା ପାଇଁ ପ୍ରଚଣ୍ଡ ଉତ୍ତାପର ଆବଶ୍ୟକ ହେଉଥିବାରୁ ଅନେକ ସମୟରେ ମେଟାଲିକ୍ ସର୍ଟର୍ ଥିବା କ୍ୟାମେରାଗୁଡ଼ିକ ଅଚଳ ହୋଇପଡୁଥିବା ଦୃଷ୍ଟିରୁ କନା ବା ଆଜ୍ବେଷ୍ଟସ୍ ସର୍ଟର୍ ଥିବା ଅତ୍ୟାଧୁନିକ କ୍ୟାମେରା ବ୍ୟବହାର କରିବା ଏକମାତ୍ର ପନ୍ଥା ଥିଲା । ମୋ’ ନିକଟରେ ଥିବା କ୍ୟାମେରା ଏବଂ ଏହାର ବିଭିନ୍ନ ପ୍ରକାର ଲେନ୍ସ୍ ଏଭଳି କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇଥିବାରୁ ମୁଁ ସହଜ ଭାବରେ ଶ୍ରୀ ବାନାର୍ଜୀ ଓ ଶ୍ରୀ ଦାସଙ୍କୁ ସହଯୋଗ କରିବା ପାଇଁ ଆଗେଇ ଯାଇଥିଲି ।
ଥିରୁବାଲିଠାରେ କମ୍ପାନୀର ନିର୍ଦ୍ଦେଶକମାନଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳାରେ ମୋ’ ଲାଗି ରହିବାର ବ୍ୟବସ୍ଥା ହୋଇଥିଲା । ସେଠାରେ ରାତ୍ରିଯାପନ କରି ସକାଳୁ ଫଟୋଗ୍ରାଫି ପାଇଁ ପ୍ରସ୍ତୁତି ହେବି ବୋଲି ଯୋଜନା କରିଥିଲି । ସେଦିନ ସେହି ବଙ୍ଗଳାରେ ଆମ୍ଭମାନଙ୍କ ବ୍ୟତୀତ ଆଉ କିଏ ଅଛନ୍ତି, ତାହା ମୋତେ ଜଣାନଥିଲା । ପରଦିନ ସକାଳୁ ମୁଁ ଉଠିପଡ଼ି ପ୍ରସ୍ତୁତ ହେବା ସମୟରେ ହଠାତ୍ ମୋ’ କୋଠରୀର କବାଟକୁ ଠକ୍ ଠକ୍ କରି ‘ମେ ଆଇ୍ କମ୍ ଇନ୍’ ବୋଲି କେହି କହୁଥିବାର ଶୁଣି ମୁଁ ଉଠିଯାଇ ଦରଜା ଖୋଲି ଦେଖେ ତ, ଆଗନ୍ତୁକ ଆଉ କେହି ନୁହଁନ୍ତି ଖୋଦ୍ କାରଖାନାର ପ୍ରତିଷ୍ଠାତା ଶିଳ୍ପପତି ଡ. ବଂଶୀଧର ପଣ୍ଡା । ତାଙ୍କୁ ଦେଖି ମୁଁ ବିସ୍ମିତ ହୋଇ କିଛି କହିବା ପୂର୍ବରୁ ସେ ହାତ ବଢାଇ ମୋ’ ସହ କରମର୍ଦ୍ଦନ କଲେ ଏବଂ କହିଲେ, ‘ଆପଣଙ୍କୁ ସ୍ୱାଗତ ଜଣାଇବା ସହ ଆପଣଙ୍କ କୋଠରୀରେ ଚା’ ପିଇବା ପାଇଁ ମୁଁ ଆସିଛି ।’
ଡ.ପଣ୍ଡାଙ୍କର ଏଭଳି ବ୍ୟବହାର ମୋତେ ସ୍ତବ୍ଧ କରିଦେଇଥିଲା । ସେ କିନ୍ତୁ ଅତି ସହଜ ଭାବରେ ପାଖରେ ପଡ଼ିଥିବା ଚୌକିଟି ଉପରେ ବସିପଡ଼ି କହିଥିଲେ, ‘ଏଣିକି ଆମ କମ୍ପାନୀର କ୍ୟାଲେଣ୍ଡର୍ ହେଉ ବା ବ୍ରୋଚର୍ ହେଉ ଯାହା କିଛି ଫଟୋର ଆବଶ୍ୟକତା ପଡ଼ିବ, ସେସବୁ ପାଇଁ ଆପଣଙ୍କ ସହଯୋଗ ସବୁବେଳେ ଲୋଡ଼ିବି । ଆପଣ ଏ ଦିଗରେ ଆମକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତୁ ।’
ମୁଁ କିଛି କହିବା ପୂର୍ବରୁ ବଙ୍ଗଳାର ସମ୍ଭ୍ରାନ୍ତ ପରିଚାରକ ମାନେ ଚା’ ଓ ଖାଦ୍ୟ ପଦାର୍ଥ ଆଣି ପରିବେଷଣ କରିବା ଆରମ୍ଭ କଲେ । ଶ୍ରୀ ମାର୍କ୍ସସ ଦାସ ଓ ଶ୍ରୀ ବାନାର୍ଜୀଙ୍କ ସମ୍ପର୍କରେ ମୁଁ କିଛି କହିବା ପୂର୍ବରୁ ଡ. ପଣ୍ଡା କହିଲେ, ସେ ଦୁହିଁଙ୍କ ପାଇଁ ଏବଂ ନଟବାବୁଙ୍କ ପାଇଁ ଚା’ ଜଳଖିଆ ପହଞ୍ଚାଇ ଦିଆସରିଛି ।
ଡ. ପଣ୍ଡାଙ୍କ ବ୍ୟବହାର ଏବଂ ମୋ’ ଉପରେ ଥିବା ତାଙ୍କର ବିଶ୍ୱାସ ଦେଖି ମୁଁ କିଛି ପରିମାଣରେ ଭୟଭୀତ ହୋଇପଡ଼ିଥିଲି । କାରଣ ମୋ’ଠାରୁ ସେ ଯେଉଁ ପ୍ରକାର ଫଟୋଗ୍ରାଫ୍ ଆଶା କରୁଛନ୍ତି, ମୁଁ ଯଦି ତାହା ଦେଇ ନ ପାରିବି, ତେବେ ଭୟଙ୍କର ଭାବରେ ଅପଦସ୍ତ ହେବି ଏବଂ ଭବିଷ୍ୟତରେ ତାଙ୍କୁ ସାମ୍ନା କରିବା ଲାଗି ସାହସ ରହିବ ନାହିଁ ବୋଲି ଆଶଙ୍କା ହିଁ ମୋତେ ଏକପ୍ରକାର ଆତଙ୍କିତ କରିଦେଇଥିଲା ।
ମାତ୍ର ଡ. ପଣ୍ଡା ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ହସି ହସି କହିଲେ, ‘ମୁଁ ଜାଣେ, ବିଜୁବାବୁଙ୍କ ଭଳି ଆପଣ କେବେହେଲେ କୌଣସି କାର୍ଯ୍ୟରେ ବିଫଳ ହେବେ ନାହିଁ । ସେହି ଭରସା ଯୋଗୁଁ ଏୟା ପରେ ଆପଣ ଆଉଥରେ ଆସି ଶ୍ରୀମତୀ ଇଲା ପଣ୍ଡାଙ୍କ ସେବାମୂଳକ କାର୍ଯ୍ୟକଳାପ ସମ୍ପର୍କରେ ଫଟୋ ଉଠାଇବା ଲାଗି ନିଶ୍ଚୟ ସହଯୋଗ କରିବେ ବୋଲି ଆଶା କରୁଛି ।
ଡ. ପଣ୍ଡାଙ୍କ ସରଳ, ସହଜ, ନିଷ୍କପଟ କଥାବାର୍ତ୍ତା ମୋତେ ବହୁ ପରିମାଣରେ ମୁଗ୍ଧ କରିଦେଇଥିଲା । ଏବଂ ତାହାହିଁ ଥିଲା ତାଙ୍କ ସଫଳତାର ଚାବିକାଠି । ଏହା ବୁଝିବା ପାଇଁ ମୋତେ କଷ୍ଟ ହୋଇନଥିଲା ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ ଏବଂ ଅନ୍ତରଙ୍ଗ ଭାବରେ ପରିଚିତ ଡ. ବଂଶୀଧର ପଣ୍ଡା ଓଡ଼ିଶାର ମାଟି, ଗୋଡ଼ି ଓ ପାଣି ପବନ, ଗଛଲତା ସବୁକିିଛିକୁ ଅନ୍ତରଙ୍ଗ ଭାବରେ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଭଲପାଉଥିଲେ । ସେ ଚାହିଁଥିଲେ ହୁଏତ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଓ ଲାଭଦାୟକ ପଦ ପଦବୀରେ ଅଧିକାରୀ ହୋଇପାରିଥାନ୍ତେ, ମାତ୍ର ସେଥିପାଇଁ ତାଙ୍କର ହୁଏତ ସାମାନ୍ୟତମ ଲାଳସା ନଥିଲା । ବିଜୁବାବୁଙ୍କ ଜୀବଦ୍ଦଶାରେ ଡ. ପଣ୍ଡା ତାଙ୍କର ସଫଳ ଉତ୍ତରାଧିକାରୀ ଭାବରେ ନିଜକୁ ପ୍ରତିପାଦିତ କରିବା ପାଇଁ ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏସିଆର ସର୍ବପ୍ରଥମ ଷ୍ଟିଲ୍ ଟ୍ୟୁବ୍ କାରଖାନା କଳିଙ୍ଗ ଟ୍ୟୁବ୍ସ ଏବଂ କଲିକତାସ୍ଥିତ ଏହାର ଦୁମୂଲ୍ୟ ସମ୍ପତ୍ତିର ଉତ୍ତରାଧିକାରୀ ହେବାର ଗୌରବ ଲାଭ କରିଥିଲେ ।

Related Post