Sun. Sep 27th, 2026

ଧାନ ଗଛରେ ବଙ୍କି ପୋକ, ଏକର ଏକର ଧାନ ଫସଲ ନଷ୍ଟ ଚିନ୍ତାରେ ଚାଷୀ

293 Views

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ୍ ଅଞ୍ଚଳର ଚାଷୀଙ୍କ ଉପରେ ପୁଣି ଚଡ଼କ ପଡ଼ିଛି। ମକା ଗଛରେ ବିଦେଶୀ ପୋକ ଭଳି ଧାନ ଗଛରେ ବଙ୍କି ପୋକ ପାଇଁ ଏକର ଏକର ଧାନ ନଷ୍ଟ ହୋଇ ଚାଲିଛି। ଔଷଧ ଠିକ୍‌ ଭାବେ କାମ କରୁ ନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ମୌସୁମୀ ବର୍ଷା ବିଳମ୍ବରେ ହେଲେ ବି କୁତ୍ରା ଅଞ୍ଚଳରେ ଏଥର ଧାନ ଫସଲ ଭଲ ହୋଇଥିଲା। ଏବେ ଧାନ ଗଛ ଫୁଲ ଦେବା ସମୟ ଆସି ଯାଇଥିବା ବେଳେ ବଙ୍କି ପୋକ ଦାଉ ସାଧୁଛି। ବଙ୍କି ପୋକ ପାଇଁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେଲାଣି। ସବୁଜିମା ଭରା ଧାନ କ୍ଷେତକୁ ବଙ୍କି ପୋକ ଦିନେ ଦୁଇ ଦିନ ମଧ୍ୟରେ ନଷ୍ଟଭ୍ରଷ୍ଟ ଦେଉଛନ୍ତି। ଚାଷୀମାନେ ନିର୍ଦ୍ଧାରିତ ବିଭିନ୍ନ ଔଷଧ ସିଞ୍ଚନ କରୁଥିଲେ ମଧ୍ୟ ତାହା କାମ କରୁନାହିଁ। ଧାନ ଗଛଗୁଡ଼ିକ ଶୁଖି ସମ୍ପୂର୍ଣ୍ଣ ମରି ଯାଉଛି। କୁତ୍ରା ଭଳି ରାଜଗାଙ୍ଗପୁର ଓ କୁଆରମୁଣ୍ଡା ବ୍ଲକ୍‌ରେ ମଧ୍ୟ ଏହି ପୋକର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏହା ଅନ୍ୟ ଇଲାକାକୁ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଏ ପର୍ଯ୍ୟନ୍ତ କୃଷି ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ପୂର୍ବରୁ କିଛି ମାସ ପୂର୍ବେ ମକା ଚାଷରେ ବିଦେଶୀ ପୋକ ଲାଗି ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ‌ହୋଇଥିଲେ।

By amfnews

Related Post