Fri. Sep 11th, 2026

ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ସହ କଳାଧନ ପଦାକୁ ଆଣିବାକୁ ଏକମାତ୍ର ମହଷୌଧି ଥିଲା ବିମୁଦ୍ରାୟନ: ପ୍ରଧାନମନ୍ତ୍ରୀ ମୋଦି

269 Views

ଝାବୁଆ (ମଧ୍ୟପ୍ରଦେଶ), ୨୧/୧୧: ଦେଶରେ ଦୁର୍ନୀତି ଏକ ଦୂରାରୋଗ୍ୟ ଓ ସଂକ୍ରାମକ ବ୍ୟାଧି ସଦୃଶ
କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୂଳୋତ୍ପାଟନ ଓ କଳାଧନକୁ ପଦାକୁ ଆଣିବା ଏକମାତ୍ର ବିକଳ୍ପ ମହଷୌଧି ଥିଲା ବିମୁଦ୍ରାୟନ ବୋଲି ଆଜି ମଧ୍ୟପ୍ରଦେଶର ଝାବୁଆ ଠାରେ ଆୟୋଜିତ ଏକ ନିର୍ବାଚନୀ ର‍୍ୟାଲିରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସନ୍ତା ୨୮ ତାରିଖରେ ବିଧାନସଭା ନିର୍ବାଚନକୁ ସାମନା କରିବାକୁ ଯାଉଥିବା ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତାଙ୍କ ସରକାର ୧୪ କୋଟି ଲୋକଙ୍କୁ ‘ବିନା କୌଣସି ଗ୍ୟାରେଣ୍ଟିରେ’ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ଯୋଗାଇ ଦେଇଛନ୍ତି। ବିଜେପି ସରକାରର ୪ ବର୍ଷ ଶାସନକାଳ ମଧ୍ୟରେ ଦେଶର ଯେତେ ବିକାଶ ସାଧିତ ହୋଇଛି, କଂଗ୍ରେସ ୧୦ ବର୍ଷ ଶାସନରେ ରହିବା ପରେ ମଧ୍ୟ ସେତକି କରିପାରି ନଥିଲା।

ମଧ୍ୟପ୍ରଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ଦୀର୍ଘ ୫୫ ବର୍ଷ କାଳ ଶାସନ କ୍ଷମତାରେ ରହିଥିଲେ ସୁଦ୍ଧା ରାଜ୍ୟରେ ମାତ୍ର ୧,୫୦୦ଟି ସ୍କୁଲ ପ୍ରତିଷ୍ଠା କରିଥିଲା। କିନ୍ତୁ, ବିଜେପିର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କର ୧୫ ବର୍ଷର ଶାସନ କାଳରେ ରାଜ୍ୟରେ ୪୦୦୦ଟି ସ୍କୁଲର ପ୍ରତିଷ୍ଠା କରିଥିବା କହିବା ସହ ତାଙ୍କ ସରକାର ଆସନ୍ତା ୨୦୨୨ସୁଦ୍ଧା ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

By amfnews

Related Post