Fri. May 15th, 2026

ଦାଢ଼ି ଶୈଳୀ ନିଷେଧାଦେଶ ଉଲ୍ଲଂଘନ କରି ପାକିସ୍ତାନର ଖାଇବର ପାଖତୁନଖ୍ଵାରେ ବାରିକ ଅଟକ

195 Views

ଇସ୍‌ଲାମାବାଦ  : ବିଭିନ୍ନ ଶୈଳୀର ଦାଢ଼ି କାଟିବା ଉପରେ ବେସରକାରୀ ଭାବେ ସ୍ଥାନୀୟ ବଣିକ ସଂଘ ବାରିକମାନଙ୍କ ପାଇଁ ଜାରି କରିଥିବା ନିଷେଧାଦେଶ ଉଲ୍ଲଂଘନ କରିଥିବା କାରଣରୁ ପାକିସ୍ତାନର ଖାଇବର ପାଖତୁନ୍‌ଖ୍ଵା ପ୍ରଦେଶରେ ବାରିକମାନଙ୍କୁ ଅଟକ ରଖାଯାଇଛି। ଏ ଭଳି ଷ୍ଟାଇଲିସ୍‌ ଦାଢ଼ିକୁ ବଣିକ ସଂଘ ଅଣଇସ୍‌ଲାମୀୟ ବୋଲି କହିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏ ପର୍ଯ୍ୟନ୍ତ ଏହି ଘଟଣାରେ ଅନ୍ୟୂନ ଚାରିଜଣ ବାରିକଙ୍କୁ ଅଟକ ରଖାଯାଇଛି। ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ କଥା ବାହାରକୁ ଆସିଥିଲା।

ଭାଇରାଲ୍‌ ଭିଡିଓରେ ଦେଖାଯାଉଛି ସମୀନ୍‌ ବୋଲି ଲୋକଟିଏ ବାରିକମାନଙ୍କୁ ଧମକ ଦେବା ସହ ନିଷେଧାଦେଶ ଅମାନ୍ୟ କରିଥିବା ବାରିକମାନଙ୍କୁ ପୁଲିସ ଦ୍ୱାରା ଗିରଫ କରାଇବାରେ ସହାୟତା କରୁଛନ୍ତି।

ସେ ବ୍ୟକ୍ତିଜଣକ ସ୍ଥାନୀୟ ବାରିକ ସଙ୍ଘର ସଭାପତି ବୋଲି ବିଶ୍ୱାସ କରାଯାଉଛି। ନିଷେଧାଦେଶ ଜାରି ହୋଇଥିବା ବେଳେ ସେମାନେ କାହିଁକି ଷ୍ଟାଇଲିସ୍‌ ଦାଢ଼ି ବନାଉଛନ୍ତି ବୋଲି ସେ ପଚାରୁଥିବା ଜଣାପଡୁଛି।

କିଛି ଦିନ ତଳେ ସଂଘ ଦାଢ଼ି ଡିଜାଇନ୍‌ ଉପରେ ନିଷେଧାଜ୍ଞା ଜାରି କରି ସମସ୍ତ ବାରିକଙ୍କୁ ଏ କଥା ଅବଗତ କରାଇଥିଲା। ଆମ ନିଷ୍ପତ୍ତି ସତ୍ତ୍ୱେ କେତେକ ଦୋକାନ ମାଲିକ ଷ୍ଟାଇଲିସ୍‌ ଡିଜାଇନ୍‌ରେ ଦାଢ଼ି କାଟୁଛନ୍ତି ବୋଲି ସେ ଭିଡିଓରେ କହୁଥିବା ଶୁଭୁଛି।

ଅଟକ ଛଡ଼ା ଚାରି ବାରିକଙ୍କ ଉପରେ ପୁଲିସ ପାକିସ୍ତାନୀ ମୁଦ୍ରାରେ ୫ ହଜାର ଲେଖାଏଁ ଜରିମାନା କରିଛି। କିନ୍ତୁ ଚର୍ସଦା ଜିଲ୍ଲା ପୁଲିସ ଅଧିକାରୀ କହୁଛନ୍ତି କି, ଗଣ୍ଡଗୋଳ କରିଥିବା କାରଣରୁ ଚାରି ବାରିକଙ୍କୁ ଗିରଫ କରାଯାଇଛି।

By amfnews

Related Post