Mon. Sep 7th, 2026

ଟ୍ରକ୍‌ ଡ୍ରାଇଭରଙ୍କୁ ୨ ଲକ୍ଷ ୫ ଶହ ଟଙ୍କା ଜରିମାନା

360 Views

ନୂଆଦିଲ୍ଲୀ  : ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍‌। ହଜାରେ, ୫ ହଜାର ନୁହେଁ ଏଥର କଟିଛି  ୨ ଲକ୍ଷ ଟଙ୍କାର ଚାଲାଣ। ରାଜଧାନୀ ଦିଲ୍ଲୀର ମୁକର୍ବା ଚୌକରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୨ ଲକ୍ଷ ୫ ଶହ ଟଙ୍କାର ଚାଲାଣ କଟାଯାଇଛି। ଓଭର ଲୋଡିଂ ଏବଂ ଅନ୍ୟ ନିୟମ ଉଲ୍ଲଂଘନ ପାଇଁ ଏହି ଜରିମାନା ହୋଇଛି। ହେଲେ ଡ୍ରାଇଭର ଜଣକ ଏହି ଜରିମାନା ରାଶି ଡିପୋଜିଟ କରି ନ ଥିବା ଜଣାଯାଇଛି।

ଓଭର ଲୋଡିଂ ପାଇଁ ୫୬ ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ପାଇଁ ୫ ହଜାର ଟଙ୍କା, ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଫିଟ୍‌ନେସ୍‌ ନଥିବାରୁ ୧୦ ହଜାର ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଇନସ୍ୟୁରାନ୍ସ ନଥିବାରୁ ୪ ହଜାର ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଟ୍ରକ୍‌ରେ ମାଲ ପରିବହନ  ସମୟରେ ଏହାକୁ କଭର୍‌ କରାଯାଇ ନ ଥିବାରୁ ୨୦ ହଜାର ଟଙ୍କା ଓ ବେଲ୍ଟ ପିନ୍ଧି ନଥିବାରୁ ୧୦୦୦ ଟଙ୍କା ଜରିମାନା ଲଗାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ ଡ୍ରାଇଭର ମୁକର୍ବା ଚୌକରୁ ମାଲ ନେଇ ଭଲସ୍ୱା ଅଞ୍ଚଳକୁ ଯାଉଥିଲା। ପୁଲିସ୍‌ ତାଙ୍କୁ ବାଟରେ ଅଟକାଇଥିଲା। ୯ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ୨ଲକ୍ଷ ୫୦୦ ଟଙ୍କାର ଜୋରିମାନା ହୋଇଥିଲା। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରଠୁ ନିକଟରେ ଅନ୍ୟ ଜଣେ ଟ୍ରକ୍ ଚାଳକଙ୍କ ଉପରେ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା କରାଯାଇଥିଲା।

 

By amfnews

Related Post