Thu. Jun 11th, 2026

ଛୁରୀ ଭୁସି ବୃଦ୍ଧଙ୍କୁ ହତ୍ୟା; ମା’-ଝିଅ ଗୁରୁତର

503 Views

ଚୌଦ୍ୱାର-ଗୁରୁଡ଼ିଝାଟିଆ : ଚୌଦ୍ୱାର ଥାନା ଅନ୍ତର୍ଗତ ୧୭ ନମ୍ବର ଓ୍ଵାର୍ଡ ନୂଆସାହିରେ ଆଜି ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକ ଅତ୍ୟନ୍ତ ଅମାନୁଷିକ ଭାବେ ଜଣେ ୬୨ ବର୍ଷର ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଛି। ଉନ୍ମତ୍ତ ଯୁବକର ଆକ୍ରମଣରେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ମହିଳାଙ୍କ ଝିଅ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଚୌଦ୍ୱାର ଗ୍ରିଡ୍‌ କଲୋନିର ବାସିନ୍ଦା ଅମଲା ନାୟକ (୬୨)ଙ୍କର ନୂଆସାହିରେ ବି ଘର ଅଛି। ସେଠାରେ ଥିବା ଆଜବେଷ୍ଟସ୍‌ ଘରକୁ ସେ ଭଡା ଦେଇଛନ୍ତି। ଗୋଟିଏ ପଟେ ବାବାଜୀ ମହାରଣା (୪୫) ନାମକ ଯୁବକ ଘର ଭଡା ନେଇ ରହୁଥିବା ବେଳେ ଅନ୍ୟ ପଟେ ପୁରୁଷୋତ୍ତମ ସେଠୀ ତାଙ୍କ ପରିବାର ସହ ଘର ଭଡ଼ା ନେଇ ରହୁଛନ୍ତି। ଆଜି ବିଳମ୍ବିତ ରାତିରେ ଅମଲା ତାଙ୍କର ସେହି ଘରକୁ ଆସିଥିବା ବେଳେ କୌଣସି କାରଣରୁ ବାବାଜୀ ସହ ଉଚ୍ଚବାଚରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅମଲା ପୁରୁଷୋତ୍ତମଙ୍କ ଘରେ ଥିବା ବେଳେ ଏକ ଧାରୁଆ ଛରୀରେ ବାବାଜୀ ତାଙ୍କୁ ଆକ୍ରମଣ କରିଥିଲା। ତଳି ପେଟରୁ ବେକ ପର୍ଯ୍ୟନ୍ତ ତାଙ୍କ ଶରୀରର ବିଭିନ୍ନ ଅଂଶକୁ ବାରମ୍ବାର ଭୁସି ଚାଲିଥିଲା। ବାବାଜୀର ଆକ୍ରମଣରେ ଅମଲାଙ୍କର ମୃତ୍ୟୁ ଘଟିଥିବା ବେଳେ ବାବାଜୀ ପୁରୁଷୋତ୍ତମଙ୍କ ପତ୍ନୀ ମମତା (୪୦) ଓ ଝିଅ ସସ୍ମିତା (୨୨)ଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା। ସସ୍ମିତା ବି ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post