Tue. Jul 28th, 2026

ଗଭୀର ଅବପାତରେ ପରିଣତ ହେଲା ‘ବୁଲ୍‌ବୁଲ୍’, ୨୪ ଘଣ୍ଟା ମଧ୍ୟରେ ନେବ ବାତ୍ୟାର ରୂପ

215 Views

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’ ଗଭୀର ଅବପାତରେ ପରିଣତ ହୋଇଛି। ଏହା ସହିତ ଘଣ୍ଟାକୁ ୯ କି.ମି. ବେଗରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ଏହା ପାରାଦୀପ ଠାରୁ ୮୧୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାପରେ ୯ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ଭିତରେ ରହି ଘନୀଭୂତ ହେବ।”

ମୃତ୍ୟୁଞ୍ଜୟ ମହାପାତ୍ର ଆହୁରି କହିଛନ୍ତି, “ଏହା ଓଡ଼ିଶା ଉପକୂଳ ଛୁଇଁବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ। ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଏହା ମୁହାଁଉଛି। କିନ୍ତୁ ଏହା କେଉଁ ଉପକୂଳ ଦେଇ ଅତିକ୍ରମ କରିବ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହା ପ୍ରଭାବରେ ୮ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ୪୦ରୁ ୫୦ କି.ମି. ରହିବ। ୯ ଓ ୧୦ ତାରିଖ ବେଳକୁ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି।”

ଏହା ପ୍ରଭାବରେ  ୮ ତାରିଖ ବେଳକୁ ସମୁଦ୍ର ଅଶାନ୍ତ ରହିବ। ସେହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ଉଚିତ ନୁହେଁ। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି, ସେମାନେ ଫେରି ଆସିବା ଦରକାର ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ କହିଛନ୍ତି।

By amfnews

Related Post