Wed. May 15th, 2024

କେରଳ ବିପନ୍ନଙ୍କୁ ମିଳିଲା ୭୫୦ କୋଟି

By Kedar Mishra Aug 21, 2018 #Featured
224 Views

କେରଳ, ଅଗଷ୍ଟ ୨୧:

କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି । ବନ୍ୟା ପରର ପରିସ୍ଥିତି ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇଦେଇଛି । କିଏ ଜୀବନ ହରାଇଛି ତ ଆଉ କିଏ ଜୀବିକା ହରାଇଛି । ବନ୍ୟାରେ ୩୭୩ ଲୋକ ପ୍ରାଣ ହରାଇଥିବାବେଳେ ୩୨ ଜଣ ନିଖୋଜ ହୋଇଥିବା ଜାତୀୟ ବିପର୍ୟ୍ୟୟ ପରିଚାଳନା ଅଥରିଟି (ଏନ୍‌ଡିଏମ୍‌ଏ) ନିଜର ରିପୋର୍ଟରେ ଦର୍ଶାଇଛି । ଏବେ କେରଳବାସୀଙ୍କ ପାଇଁ ଦେଶ ତଥା ଦେଶ ବାହାରୁ ସହଯୋଗର ହାତ ବଢ଼ିଛି । ସଂଯୁକ୍ତ ଆରବ ଏମିରେଟ୍ସ (UAE) ୭୦୦ କୋଟି ଟଙ୍କା ପ୍ରଦାନ କରିଛି । ସେହିପରି ୟୁଏଇର ବିପିଏସ୍‌ ହେଲ୍‌ଥ କେୟାର ପ୍ରବନ୍ଧ ନିର୍ଦ୍ଦେଶକ ଡ. ଶମଶୀର ବୟାଲୀନ ପୀଡ଼ିତ ମାନଙ୍କ ପାଇଁ ୫୦ କୋଟି ଟଙ୍କ ସହାୟତା ରାଶି ପ୍ରଦାନ କରିଥିବା କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ସୂଚନା ଦେଇଛନ୍ତି । ଯାହାକି ବ୍ୟକ୍ତିଗତ ଭାବେ ସବୁଠୁ ବଡ଼ ଅର୍ଥ ରାଶି  ।

ଶତାବ୍ଦୀର ରେକର୍ଡ ଭାଙ୍ଗିଥିବା କେରଳ ବନ୍ୟାରେ ୭୭୬ ଟି ଗ୍ରାମର ୫୪ ଲକ୍ଷ ୧୧ ହଜାର ୭୧୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ସହିତ ୫୬୪୫ଟି ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପରେ ୧୨ ଲକ୍ଷ ୪୭ ହଜାର ଲୋକ ଆଶ୍ରୟ ନେଇଛନ୍ତି । ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ପଶୁପକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି । ଏକ କୋଟି ୭୦ ଲକ୍ଷ କୁକୁଡ଼ା ଓ ୪୬ ହଜାର ଗୋରୁଗାଇ ମୃତ୍ୟୁ ବରଣ କରିଛନ୍ତି ଏନ୍‌ଡିଏମ୍‌ଏ ରିପୋର୍ଟରେ ପ୍ରକାଶ ପାଇଛି । ସମସ୍ତ କ୍ଷୟକ୍ଷତିକୁ ଆକଳନ କଲେ ପ୍ରାୟ ୨୦ ହଜାର କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେରଳ ସରକାର ଆସନ୍ତା ଅଗଷ୍ଟ ୩୦ ତାରିଖରେ ଏକ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକ ଡାକିବାକୁ ରାଜ୍ୟପାଳଙ୍କ ନିକଟରେ ସୁପାରିଶ କରିଛନ୍ତି ।

By Kedar Mishra

Kedar Mishra is the Editor of AMFNews.com.

Related Post