Sat. Aug 22nd, 2026

କେନ୍ଦ୍ରକୁ ନବୀନଙ୍କ ପ୍ରଶ୍ନ : ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ମୁଖ୍ୟ ଏଜେଣ୍ଡା ଥିଲା, ହେଲେ କୁଆଡେ ଗଲା ପ୍ରତିଶ୍ରୁତି ?

247 Views

ଭୁବନେଶ୍ବର, ନଭେମ୍ବର ୦୩: ଆଜି ବିଜୁ ଜନତା ଦଳ ପକ୍ଷରୁ ଆୟାଜିତ ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ମୁଖ୍ୟ ଏଜେଣ୍ଡା ଥିଲା । ଏହା ହୋଇଥିଲେ ରାଜ୍ୟର ଅନେକ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହୋଇ ପାରିଥାନ୍ତା। କିନ୍ତୁ ସବୁ ଆଶା କେବଳ ଆଶାରେ ହିଁ ରହିଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ଚୌକି ପାଇଁ ନିଜର ପ୍ରତିଶ୍ରୁତିକୁ ଭୁଲିଯାଇଛନ୍ତି।

ଏହାସହ ନବୀନ କହିଛନ୍ତି ଯେ, ବିଜେପି ସହିତ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ମେଣ୍ଟ ହୋଇଥିଲା। ଓଡ଼ିଶା ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଏହା କ’ଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ କାରଣ ନୁହେଁ କି ? ଏଭଳି କିଛି ପ୍ରଶ୍ନ ବାଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଗତ କିଛି ଦିନ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେ ମେ ଚାଲୁଥିବା ବେଳେ ହଠାତ୍ ନବୀନ ଉଠାଇଛନ୍ତି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ହୁଏତ ଆଗାମୀ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଏକ ପ୍ରକାର ବିଗୁଲ ବଜାଇଦେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

By amfnews

Related Post