Tue. Sep 1st, 2026

ଏଥର ବିରଳ ସୂର୍ଯ୍ୟୋପରାଗ : ପରାଗ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

399 Views

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ସକାଳେ ସଂଗଠିତ ହେବ ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ। ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯିବ। ଏହି ପରାଗ ଓଡ଼ିଶାରେ ସକାଳ ୮ଟା ୨୦ ମିନିଟ୍‌ରେ ସ୍ପର୍ଶ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ତେବେ ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ। ଏହି ସମୟରେ ସୂର୍ଯ୍ୟର ପ୍ରାୟ ୫୫ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ। ଯାହା କି ଅତ୍ୟନ୍ତ ବିରଳ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ପରାଗ ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ‌ଦେଖିବା ଉଚିତ ନୁହେଁ। ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ପ୍ଲାନେଟୋରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହିତ ସାମନ୍ତ ଚନ୍ଦ୍ରଶେଖର ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ପରାଗ ଦେଖିବାର ବ୍ୟବସ୍ଥା କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ, ପ୍ଲାନେଟୋରିୟମ ଓ ବିଜ୍ଞାନପ୍ରେମୀ ସୌର ଚଷମା ଯୋଗାଇ ଦେବା ସହ ପରାଗ ଦେଖିବାକୁ ବ୍ୟବସ୍ଥା କରୁଛନ୍ତି। ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ବିଜେବି କଲେଜ୍‌ ପଡ଼ିଆରେ ମଧ୍ୟ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀ ଓ ଅନ୍ୟମାନେ ଏହାର ସୁବିଧା ନେଇପାରିବେ।

By amfnews

Related Post