Mon. May 20th, 2024

ଉତ୍ପାଦନର ୬୦ତମ ବର୍ଷ ଉପଲକ୍ଷେ ଆରଏସ୍ପିରେ ଲୌହ ପୁରୁଷ ସ୍ମାରକ ଉଦ୍ଘାଟିତ

rklsanchar@gmail.com' By J.N. Pradhan Jun 30, 2018 #Featured
155 Views

ରାଉରକେଲା, ୩୦/୬: ମହାରତ୍ନ କମ୍ପାନୀ ‘ସେଲ୍’ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାରେ ଲୌହ ନିର୍ମାଣର ୬୦ବର୍ଷର ସଫଳ ଯାତ୍ରାକୁ ଦର୍ଶାଉଥିବା ବ୍ଲାଷ୍ଟ ଫର୍ଣ୍ଣେସ୍- ୧ ନିକଟରେ ନିର୍ମିତ ଏକ ଆକର୍ଷଣୀୟ ସ୍ମାରକ ‘ଲୌହ ପୁରୁଷ’କୁ କାର୍ଯ୍ୟ ବିଭାଗର ଇଡି ଶୁଭେନ୍ଦ୍ର ଦାସ ଉଦ୍ଘାଟିନ କରିଛନ୍ତି । ଏହି ଅବସରରେ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଉଦ୍ଘାଟନୀ ଉତ୍ସବରେ ଶ୍ରୀ ଦାସ ଆରଏସ୍ପି ତଥା ବିଶେଷ କରି ବ୍ଲାଷ୍ଟ ଫର୍ଣ୍ଣେସ ସାମୁଦାୟିକଙ୍କ ସୃଜନଶୀଳତା ଓ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିଥିଲେ । ଉଲ୍ଲେଖନୀୟ ଯେ, ସେଲ୍ର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ୍ ‘ପାର୍ବତୀ’ ୧୯୫୯ ମସିହା ଫେବୃୟାରୀ ୩ ତାରିଖରେ ଭାରତର ତକ୍ରାଳୀନ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା । ବିଗତ ୬୦ ବର୍ଷରେ ଇସ୍ପାତ କାରଖାନାର ବାର୍ଷିକ ଉତ୍ତପ୍ତ ଧାତୁ ଉତ୍ପାଦନ କ୍ଷମତା ୦.୫ ନିୟୁତ ଟନ୍ରୁ ବୃଦ୍ଧି ପାଇ ସମ୍ପ୍ରତି ୪.୫ ନିୟୁତ ଟନ୍ରେ ପହଞ୍ଚିଛି ।

ଲୌହ ପୁରୁଷ ସ୍ମାରକରେ ଡିଷ୍ଟ୍ରିବ୍ୟୁଟର ରୂପେ ଡିଜାଇନ୍ ହୋଇଥିବା ଏକ ପେଡେଷ୍ଟ୍ରାଲ ଉପରେ ଆଣ୍ଠୁରେ ଭରାଦେଇ ବସିଥିବା ଜଣେ ମଣିଷ ଏକ ଲୌହଖଣ୍ଡ ଧାରଣ କରିଥିବା ଦର୍ଶାଯାଇଛି । ଉକ୍ତ ଡିଷ୍ଟ୍ରିବ୍ୟୁଟର ଫର୍ଣ୍ଣେସ୍ ଟପରେ ବ୍ୟବହୃତ ହୋଇଥାଏ । କ୍ଷୁଦ୍ର ପ୍ରସ୍ତର ପୂର୍ଣ୍ଣ ଏହି ମାନବାକୃତିର ଲୌହଫ୍ରେମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି । ଏହାର ଚତୁଃପାଶ୍ୱର୍ରେ ଥିବା ଅନ୍ୟାନ୍ୟ କ୍ଷୁଦ୍ର ପ୍ରତିକୃତିଗୁଡ଼ିକ ଉତ୍ପାଦନ ସହିତ ଜଡ଼ିତ ପ୍ରକ୍ରିୟା ଓ ଲୋକମାନଙ୍କୁ ପ୍ରଦର୍ଶିତ କରୁଛି । ଏହି ସ୍ମାରକ ବ୍ଳାଷ୍ଟ ଫର୍ଣ୍ଣେସ୍ ମେକାନିକାଲ ବିଭାଗର ସିନିୟର ଟେକ୍ନସିୟାନ ଧରଣୀ ରାଉତ ଏବଂ ବିନୋଦ କୁମାର ରଜକଙ୍କ ପରିକଳ୍ପିତ ଏକ ସୁନ୍ଦର ପ୍ରକଳ୍ପ ଅଟେ । କର୍ମଚାରୀମାନେ ନିଜର ନିୟମିତ କାର୍ଯ୍ୟ ସମ୍ପାଦନ ସହିତ ଏକ ପ୍ରକଳ୍ପର ବିକାଶ ସାଧନ କରିଥିବା ପରିପ୍ରେକ୍ଷୀରେ ଏହାର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ପ୍ରାୟ ୬ ମାସ ସମୟ ଲାଗିଥିଲା ।

Related Post