Fri. Jun 12th, 2026

ଇରାକକୁ ଟ୍ରମ୍ପଙ୍କ କଟକଣା ଧମକ

173 Views

ୱାଶିଂଟନ   :   ଇରାନର ମେଜର ଜେନେରାଲ କସିମ ସୁଲେମାନଙ୍କୁ ଇରାକର ବାଗଦାଦରେ ଆମେରିକା ହତ୍ୟା କରିବା ପରେ ଏମେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଓ ଇରାନ ପରସ୍ପର ବିରୋଧରେ ବିଷ ଓଗାଳିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଇରାକ ସଂସଦ ଏକ ସଂକଳ୍ପ ପାରିତ କରିଛି। ଯେଉଁଥିରେ ଆମେରିକା ସୈନ୍ୟଙ୍କୁ ତୁରନ୍ତ ଇରାକ ଛାଡ଼ିବାକୁ କୁହାଯାଇଛି।

ହେଲେ ଇରାକର ଏଭଳି ଆଭିମୁଖ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଚିହିଁକି ଉଠିଛନ୍ତି। ଯଦି ଆମେରିକା ଟ୍ରୁପକୁ ଇରାକ ଛାଡ଼ିବାକୁ କୁହାଯାଏ, ତା’ହେଲେ ବାଗଦାଦକୁ ଏଥିପାଇଁ ଅନେକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଆମେ ଏମିତି କଟକଣା ଲଗାଇବୁ ଯେ ଇରାକ ପୂର୍ବରୁ କେବେ ବି ଏଭଳି ସଙ୍କଟ ସ୍ଥିତିର ସମ୍ମୁଖୀନ ହୋଇ ନଥିବ ବୋଲି ଆଜି ଟ୍ରମ୍ପ ଧମକ ଦେଇଛନ୍ତି।

ସେ କହିଛନ୍ତି, “ଯଦି ଆମେରିକା ଟ୍ରୁପ ଇରାକ ଛାଡ଼ୁ ବୋଲି ବାଗଦାଦ ଚାହୁଁଛି, ତା’ହେଲେ ଆମେ ସେଠାରେ ନିର୍ମାଣ କରିଥିବା ଏୟାର ବେସ୍‌ର ଟଙ୍କା  ସରକାର ପ୍ରଥମେ ଦିଅନ୍ତୁ। ଆମେ ବହୁତ ଟଙ୍କା ଖର୍ଚ୍ଚ କରି ସେଠାରେ ଏୟାର ବେସ ତିଆରି କରିଛୁ। ଏଥିପାଇଁ ବିଲୟନ ବଲିୟନ ଡଲାର ଖର୍ଚ୍ଚ ହୋଇଛି। ମୁଁ କ୍ଷମତାକୁ ଆସିବା ପୂର୍ବରୁ ହିଁ ଏହା ଗଠନ ହୋଇଥିଲା।

ଯେଉଁ ପର୍ଯ୍ୟନ୍ତ ଏନେଇ ଇରାକ ଆଥିର୍କ ସହାୟତା କରିନାହିଁ, ସେତେବଳ ଯାଏ ଆମେ ଇରାକ ଛାଡ଼ିବୁ ନାହିଁ। ଯଦି ଆମକୁ ସେଠାରୁ ବାଧ୍ୟ କରି ଛାଡ଼ିବାକୁ କୁହାଯାଏ, ତା’ହେଲେ ଏହାର ପରିଣାମ ଇରାକକୁ ଭୋଗିବାକୁ ପଡ଼ିବ। ଆମେ ଏମିତି କଟକଣା ଲଗାଇବୁ ଯେ ସେକଥା ଇରାନ କେବେ ବି ଚିନ୍ତା କରି ନଥିବ। ଇରାନ ଉପରେ ଲଗାଇଥିବା କଟକଣା ଠାରୁ ଏହା ଆହୁରି ଭୟଙ୍କର ହେବ।”

By amfnews

Related Post