Wed. Jul 22nd, 2026

ଅପରାହ୍ଣ ୪ଟା ଯାଏଁ ଆସାମର ଦିବ୍ରୁଗଡ଼ରେ କର୍ଫ୍ୟୁ କୋହଳ, ଇଣ୍ଟର୍‌ନେଟ୍‌ ବନ୍ଦ

198 Views

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଉଗ୍ରତର ହେଉଥିବା ବେଳେ ଆସାମର ଦିବ୍ରୁଗଡ଼ ଜିଲ୍ଲା ପ୍ରଶାସନ ରବିବାର ଦିନ ୯ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରିଛି। ଆଜି ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଛି।

କିନ୍ତୁ ସମଗ୍ର ଆସମରେ ଆଉ ୪୮ ଘଣ୍ଟା ଅର୍ଥାତ୍‌ ସୋମବାର ସନ୍ଧ୍ୟା ଯାଏଁ ଇଣ୍ଟର୍‌ନେଟ୍‌ ସେବା ନିଷେଧ କରାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ଙ୍କ ନେତୃତ୍ୱରେ ଏକ ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପ୍ରତିବାଦ ସଂକ୍ରାନ୍ତରେ ଆଲୋଚନା କରିବେ।

ଗୌହାଟି ଯୁଗ୍ମ ପୁଲିସ କମିସନର୍‌ ଦେବରାଜ ଉପାଧ୍ୟାୟ କହିଛନ୍ତି ଯେ ବିବାଦୀୟ ବିଧେୟକ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ବିଭିନ୍ନ ଥାନା ଅଞ୍ଚଳରେ ଗୁଡ଼ାଏ ଲୋକ ଗିରଫ ହୋଇଛନ୍ତି। ଗଣ୍ଡଗୋଳ ଯୋଗୁଁ ଆସାମରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଗୁଳି ଚୋଟରେ ମୃତ୍ୟୁ ଘଟିଛି, ଏବଂ ଗୋଟାଏ ତେଲ ଟ୍ୟାଙ୍କର୍‌ରେ ନିଆଁ ଲଗାଇ ଦିଆଯିବାରୁ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକରେ ସାମିଲ ହୋଇ ସମସ୍ତ ଜିଲ୍ଲାରେ ଅନେକ ବ୍ୟକ୍ତି ଧାରଣା ଏବଂ ଅନଶନରେ ବସିଛନ୍ତି। ଆଜି ସେମାନଙ୍କର ପ୍ରତିବାଦ ଷଷ୍ଠ ଦିନରେ ପହଞ୍ଚିଛି।

ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖପାତ୍ର କହିଛନ୍ତି ଯେ ରାଜ୍ୟରେ ଏଯାବତ୍‌ ରେଳ ଚଳାଚଳ ସ୍ୱାଭାବିକ ହୋଇନାହିଁ।

By amfnews

Related Post