Mon. May 20th, 2024

ଅନ୍ତର୍ଜାତୀୟ ଯୋଗ ଦିବସ : ଆରଏସ୍ପି ସମେତ ବିଭିନ୍ନ ଅନୁଷ୍ଠାନରେ ଯୋଗାଭ୍ୟାସ କଲେ ଆବାଳବୃଦ୍ଧବନିତା

rklsanchar@gmail.com' By J.N. Pradhan Jun 22, 2018 #Featured
410 Views

ରାଉରକେଲା, ୨୨/୬ : ଆର୍ଏସ୍ପି ସମେତ ବିଭିନ୍ନ ଅନୁଷ୍ଠାନମାନଙ୍କରେ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଯୋଗାଭ୍ୟାସରେ ସାମିଲ୍ ହୋଇଛନ୍ତି ସହରର ଆବାଳବୃଦ୍ଧବନିତା ।

ଆର୍ଏସ୍ପି –

ଆନୁକୂଲ୍ୟରେ ଜୁନ୍ ୨୧ ତାରିଖରେ ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ ଦୁଇଟି ଯୋଗ ଅଧିବେଶନରେ ୨ହଜାରରୁ ଊଦ୍ଧ୍ୱର୍ ବ୍ୟକ୍ତି ଭାଗ ନେଇଥିଲେ । ଇସ୍ପାତ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ଯୋଗ ଅଧିବେଶନକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତଥା ଆକାଶରେ ବେଲୁନ୍ ଛାଡ଼ି ଉଦ୍ଘାଟନ କରିଥିଲେ ।

ତାଙ୍କ ସହିତ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ. ପ୍ରଧାନ, ସହରସେବା ବିଭାଗର ମହାପ୍ରବନ୍ଧକ ଏନ୍.କେ. ସାମନ୍ତରାୟ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡ.ଏସ.ଏସ୍.ପତି ଓ ଆରଏସ୍ପିର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଇସ୍ପାତ ଷ୍ଟାଡ଼ିୟମରେ ଅନୁଷ୍ଠିତ ଯୋଗ ଶିବିରରେ ଓଏସ୍ଏପି ଏବଂ ସିଆଇଏସ୍ଏଫ୍ କର୍ମୀଙ୍କ ସମେତ ବିଭିନ୍ନ ବୟସବର୍ଗର ପ୍ରାୟ ୧୭୦୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ । ପତଞ୍ଜଳି ଯୋଗ ସମିତିର ଅକ୍ରୁର ମାର୍ଥାଙ୍କ ନେତୃତ୍ୱରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ସମ୍ପନ୍ନ ଏହି ଯୋଗ ଶିବିରର ଶେଷରେ ଅଂଶଗ୍ରହଣକାରୀମାନେ ସମବେତ ଶପଥ ପାଠ କରିଥିଲେ । ସୁନେଲୀ ସକାଳରେ ଇସ୍ପାତ ଷ୍ଟାଡ଼ିୟମର ଶାନ୍ତ ସବୁଜ ପରିବେଶ ମଧ୍ୟରେ ଉତ୍ସାହୀ ଅଂଶଗ୍ରହଣକାରୀଙ୍କ ଯୋଗାଭ୍ୟାସ ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା ।

ଏ ଅବସରରେ ନିଜର ଅଭିଭାଷଣରେ ଶ୍ରୀ ଓରାମ ସୁସ୍ଥ ଜୀବନ ଧାରଣ ନିମନ୍ତେ ଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଏଭଳି ଏକ ବିଶାଳ ଯୋଗ ଶିବିର ଆୟୋଜନ ତଥା ଇସ୍ପାତ ସହରର ବିଭିନ୍ନ କମ୍ୟୁନିଟି ସେଣ୍ଟରଠାରେ ପ୍ରତ୍ୟହ ଯୋଗ ଶିବିରର ଆୟୋଜନ ପ୍ରୟାସର ସେ ଭୂୟସୀ ପ୍ରଶଂସା କରିଥିଲେ । ଆରଏସ୍ପି ପ୍ରୋଟୋକଲ, ହସ୍ପିଟାଲିଟି ଓ ସମାଜ କଲ୍ୟାଣ ବିଭାଗର ଉପମହାପ୍ରବନ୍ଧକ ହୀରାଲାଲ ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରସ୍ତୁତ କରିଥିବାବେଳେ ଏନ୍.କେ.ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ସେକ୍ଟର-୨୨ ମିନି ଷ୍ଟାଡ଼ିମୟରେ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୨ଶହରୁ ଊଦ୍ଧ୍ୱର୍ ଲୋକ ଭାଗ ନେଇଥିଲେ । ସି ଆଣ୍ଡ ଆଇଟି ବିଭାଗର ମହାପ୍ରବନ୍ଧକ ରାମ ନାରାୟଣ ନାୟକ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ପତଞ୍ଜଳି ଯୋଗ ସମିତି ଓ ଗାୟତ୍ରୀ ପରିବାରର ଅଭିଜ୍ଞ ଯୋଗ ପ୍ରଶିକ୍ଷକ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ଉଭୟ ସ୍ଥାନରେ ସନ୍ଧ୍ୟାରେ ଅନ୍ୟ ଦୁଇଟି ଯୋଗ ଶିବିର ଆୟୋଜନ ନିର୍ଦ୍ଧାରିତ ହୋଇଛି ।

ବିପିୟୁଟି –

ଯୋଗ ଓ ପ୍ରାଣାୟମ ଦ୍ୱାରା ଭାରତ ଏକ ରୋଗମୁକ୍ତ ଦେଶ ହୋଇପାରିବ ବୋଲି ଆଜି ବିଶ୍ୱ ଯୋଗ ଦିବସ ଉପଲକ୍ଷେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ବିପିୟୁଟି ଯୋଗ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଓ ପ୍ରାଣାୟମ ସମେତ ଯୋଗ ସମ୍ପର୍କୀତ କୁଇଜ୍ ପ୍ରତିଯୋଗିତା, ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଭାରତୀୟ ବିଦ୍ୟାଭବନର ରାଉରକେଲା ଶାଖା ସମ୍ପାଦକ ତଥା ପୂର୍ବତନ ସଭାପତି ଡିଭାଇନ ଲାଇଫ୍ ସୋସାଇଟି ସହଦେବ ଦାଶ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ବିଶ୍ୱବାସୀଙ୍କ ନିମନ୍ତେ ଯୋଗ, ଧ୍ୟାନ ଓ ପ୍ରାଣାୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିପିୟୁଟିର ଇଲେକଟ୍ରିକାଲ ଇଂଜିନିୟରିଂ ବିଭାଗର ମୁଖ୍ୟ ଓ ଆସୋସିଏଟ ପ୍ରଫେସର ସିଏପିଜିଏସ ତଥା ଯୋଗ କ୍ଲବ ସଂଯୋଜକ ମନୋଜ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ମନୁଷ୍ୟର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଯୋଗ ଓ ପ୍ରାଣାୟମର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ । ସେହିପରି ଯୋଗ ଓ ଧ୍ୟାନ ବିଜ୍ଞାନର ଉପଯୋଗ କଲେ ମାନବଜାତିର କଲ୍ୟାଣ ହୋଇପାରିବ ବୋଲି କହିଥିଲେ । ଯୋଗ ବିଜ୍ଞାନର ସାତଟି ସଂସ୍କୃତି ସମ୍ପର୍କରେ ଆଲୋଚନା କରି ଯୋଗ କରିବା ଦ୍ୱାରା ମନୁଷ୍ୟର ମନ ଓ ଶରୀର ସତେଜ ରହିଥାଏ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ସଂସ୍କୃତି, ଉର୍ଜ୍ଜା ସଂସ୍କୃତି, ଇଚ୍ଛାଶକ୍ତି ସଂସ୍କୃତି, ନୈତିକବୋଧ ସଂସ୍କୃତି, ହୃଦୟ ସଂସ୍କୃତି, ଶରୀର ସଂସ୍କୃତି ଓ ଆଧ୍ୟାତ୍ମିକ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଇଂଲେକଟ୍ରିକାଲ ଇଂଜିନିୟରିଂ ବିଭାଗର ଆସୋସିଏଟ ପ୍ରଫେସର ସିଏପିଜିଏସ ଡ.ଶିବ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗର ମହତ୍ତ୍ୱ ସମ୍ପର୍କରେ କହିଥିଲେ । ପତଞ୍ଜଳୀ ପୀଠରୁ ଆସିଥିବା ଯୋଗ ଗୁରୁମାନେ ମନୁଷ୍ୟର ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ କହିଥିଲେ ।

ଏନ୍ଆଇଟି –

ଏକ ଭାରତ ଶ୍ରେଷ୍ଠ ଭାରତ ଏନ୍ଆଇଟି ରାଉରକେଲା ତରଫରୁ ରାଜେନ୍ଦ୍ର ମିଶ୍ର ପ୍ରଦର୍ଶନୀ ହଲରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏନଆଇଟି ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ଯୋଗର ଉପାଦେୟତା ସମ୍ପର୍କରେ ଆଲୋକପାତ କରି କହିଲେ, ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ମଣିଷ ଶାରୀରିକ ଓ ମାନସିକଭାବେ ସୁସ୍ଥ ରହିଥାଏ । ଯାହାଦ୍ୱାରା ନିଜର କାମକୁ ସୂଚାରୂରୂପେ ତୁଲାଇପାରିଥାଏ । ଯୋଗ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର ଇନଚାର୍ଜ ପି.କେ ପଣ୍ଡା, ନୋଡ଼ାଲ ଅଫିସର ପବିତ୍ର ମୋହନ ଖିଲାର, ଏସ୍.କାରକ, ଟି.ପି ଆଚାର୍ଯ୍ୟ ଯୋଗ ଦେଇଥିଲେ । ଯୋଗ ଶିକ୍ଷକ ଖଗେଶ୍ୱର ଓଝା, ଜଗଦୀଶ ପଶାୟତ ଯୋଗ ଶିକ୍ଷା ଦେଇଥିଲେ । ଏଥିରେ ବି.ଟେକ୍,ଏମ୍.ଟେକ୍, ପିଏଚ୍ଡିର ଛାତ୍ର, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ଯୋଗ କରିଥିଲେ ।

ରିମ୍ସ –

ରିମ୍ସର ଏଚ୍ଆର୍ଡି ହଲଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ରିମ୍ସ ଚେୟାର ପର୍ସନ ନଳିନୀପ୍ରଭା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଲେ, ୨୦୧୪ ମସିହା ୧୧ ତାରିଖର ଜାତିସଂଘ ଅଧିବେଶନରେ ପ୍ରତିବର୍ଷ ଜୁନ୍ମାସ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ସେହି ନିଷ୍ପତ୍ତି ଅନୁଯାୟୀ ଆଜି ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ଏଥିସହ ଯୋଗର ଉପକାରିତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହାଦ୍ୱାରା ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ସୁସ୍ଥ ଜୀବନଯାପନ କରାଯାଇପାରିବ ବୋଲି କହିଥିଲେ । ଡ.ଆର୍ଯ୍ୟ ପଟ୍ଟନାକ, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ  ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭିଡିଓ କ୍ଲିପ୍ ଜରିଆରେ ବିଭିନ୍ନ ଯୋଗ କଳା ଉପରେ ଏକ ସଂକ୍ଷିପ୍ତ ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ରିମ୍ସ ଫାକଲ୍ଟି ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିବା ବେଳେ ଡ.ସ୍ୱାତିରେଖା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସେକ୍ଟର-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦ –

ବିଶ୍ୱ ଯୋଗ ଦିବସ ଉପଲକ୍ଷେ ସେକ୍ଟର-୬ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ୯ମ ଓ ୧୦ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗ ଶିକ୍ଷକ ପ୍ରଦୀପତ୍ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଡାସନ, ବୃକ୍ଷାସନ, ପାଦହସ୍ତାସନ, ଅର୍ଦ୍ଧଚକ୍ରାସନ, ଭଦ୍ରାସନ, ବଜ୍ରାସନ, ଅର୍ଦ୍ଧଭଷ୍ଟ୍ରାସନ, ଭଷ୍ଟ୍ରାସନ, ଶଶକାସନ, ଉତ୍ତାନ ମଣ୍ଡୁକାସନ, ବକ୍ରାସନ, ମକରାସନ ଆଦି ଆସନର ଅଭ୍ୟାସ କରିଥିଲେ । ଅନ୍ୟତମ ଯୋଗ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀଙ୍କ ତତ୍ତ୍ୱାବଧାନରେ ଗୁରୁଜୀ, ଗୁରୁମାମାନେ ମଧ୍ୟ ଅନୁରୂପ ଆସନ ଅଭ୍ୟାସ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟରେ ନବନିଯୁକ୍ତ  ପ୍ରଧାନାଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ, ମାଆ ସରସ୍ୱତୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ ପୂର୍ବକ ଯୋଗ ଦିବସର ତାତ୍ପର୍ଯ୍ୟ, ଯୋଗର ଉପଦେୟାତା ତଥା ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ ଯୋଗ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଉଦିତନଗର ଷ୍ଟାଡିୟମ –

ଜୁନ୍ ମାସ ୨୧କୁ ସମଗ୍ର ବିଶ୍ୱ ଯୋଗ ଦିବସ ଭାବେ ପାଳନ କରିବାର ସଂକଳ୍ପ ନେଇଥିବା ବେଳେ ରାଉରକେଲାରେ ଦିସା ଯୋଗ ପରିଷଦ, ଉକ୍ରଳ ଗାୟତ୍ରୀ ଯୁବର ପରିଷଦ, ନୀଳଶୈଳ ମହାବିଦ୍ୟାଳୟ, ରାଉରକେଲା ଜାତୀୟ ସେବା ସଂସ୍ଥାର ମିଳିତ ଉଦ୍ୟମରେ ପ୍ରାୟ ୮୦୦ ଯୋଗ ଶିକ୍ଷାର୍ଥୀଙ୍କୁ ନେଇ ଉଦିତନଗର ପଡିଆଠାରେ ଯୋଗ ଶିବିର କାର୍ଯ୍ୟକ୍ରମ ବେଶ୍ ସଫଳତାର ସହ ସମ୍ପନ୍ନ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାନପୋଷ ଉପଜିଲାପାଳ ହିମାଂଶୁ ଶେଖର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଯୋଗାଭ୍ୟାସର ଉପଯୋଗିତା ଓ ପ୍ରୟୋଜନୀୟତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶକୁନ୍ତଳା କିସାନ ଯୋଗ ଦିବସ ଉପରେ ସମ୍ୟକ ଅଭିଭାଷଣ ଦେବା ସହ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ଘୋଷଣା କରିଥିଲେ । ଆଜିର ଯୋଗ ଶିବିରର ସୁପରିଚାଳନା ପାଇଁ ବାଳମୁକୁନ୍ଦ କଦମୱାଲା, କମଲ ଡାଲମିଆ, ଚନ୍ଦନ ବନସାଲ, ବିଜୟ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ପ୍ରଶାନ୍ତ କୁମାର ନାୟକ, ମମତା ପତି, ସୁଫଳା ଦାସ, ଆଦିତ୍ୟ ମହାପାତ୍ର, ସଂଜିତ କୁମାର ଭୂୟାଁ, ପ୍ରଫେସର ପ୍ରଭାତ କୁମାର ରାଉତ, ଶୁକ୍ରୁ ତନ୍ତୀଙ୍କ ଅବଦାନ ଅତୁଳନୀୟ । ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ପରିଚାଳନା ଦାୟିତ୍ୱ ସମ୍ପାଦକ ତଥା ଯୋଗଗୁରୁ ସୁଶାନ୍ତ କୁମାର ଶତପଥୀ ତୁଲାଇଥିଲେ । ଏଥିରେ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟ କ୍ରୀଡା ଶିକ୍ଷକ ସୁଧାଂଶୁ ଶେଖର ପାତ୍ର, ଗୁରୁନାନକ ସ୍କୁଲ ଅସ୍ଥାୟୀ କରାଟେ ଶିକ୍ଷକ ଆକାଶ ନାୟକ, କଲ୍ୟାଣୀଦେବୀ ମହାବିଦ୍ୟାଳୟ ଅଧ୍ୟାପକ ସମୀର କୁମାର ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସମ୍ଭୁନାଥ ଦୁବେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସ୍କୁଲ ଖେଳ ଶିକ୍ଷକ ଏବଂ କମିଟି ଏକ୍ଜିକ୍ୟୁଟିଭ୍ ମେମ୍ବରଙ୍କ ମଧ୍ୟରେ ସୁନୀଲ ସାହୁ, ହୃଦୟ ରଞ୍ଜନ ନାୟକ, ବିଶ୍ୱାମିତ୍ର ଶାସ୍ତ୍ରୀ, ସନାତନ ସେଠୀ, ଗୋପାଳ ଜେନା, ଗଗନ ସାହୁ, ବିଭିନ୍ନ ଅନୁଷ୍ଠାନ ଯଥା ମାରୱାଡି ମହିଳା ମଞ୍ଚ, ମାରୱାଡି ଯୁବ ମଞ୍ଚ, ଲାୟନ୍ସ କ୍ଲବ୍ ପ୍ରମୁଖଙ୍କ ସାହାଯ୍ୟ ଓ ସହଯୋଗରେ ଶିବିର ସଫଳ ହୋଇଥିଲା ।

Related Post