Sat. Oct 17th, 2026

୧୫୦ ମନ୍ଦିର ଅଡିଟ୍‌ ପାଇଁ ସୁପାରିସ : ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ୧୭, ଭୁବନେଶ୍ବରର ୧୧

333 Views

ଭୁବନେଶ୍ବର : ରାଜ୍ୟର ୧୫୦ଟି ମନ୍ଦିର ଅଡିଟ୍‌ ପାଇଁ ସରକାର ଏଜିକୁ ସୁପାରିସ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ୧୭ ମଠ ମନ୍ଦିର ଥିବା ବେଳେ ଭୁବନେଶ୍ବରର ୧୦ଟି ମନ୍ଦିର ଓ ଗୋଟିଏ ମଠ ରହିଛି। ଭୁବନେଶ୍ବରର ମଠ ମନ୍ଦିରଗୁଡ଼ିକ ହେଲା ସଦାବ୍ରତ ବା ଭାରତୀ ମଠ, ଜାଗମରାର ସରସ୍ବତୀ ଦେବୀ ଠାକୁରାଣୀ, ମଞ୍ଚେଶ୍ବରର ମଞ୍ଚନାଥ ଦେବ, ସପ୍ତସତୀ ଠାକୁରାଣୀ, ଜନପଥର ଗିରିଦୁର୍ଗା ମନ୍ଦିର, ଚନ୍ଦ୍ରଶେଖରପୁର ବିଡିଏ କଲୋନିର ନୀଳକଣ୍ଠେଶ୍ବର ଦେବ ମନ୍ଦିର, ଲକ୍ଷ୍ମୀସାଗର ପତିତପାବନ ଦେବ ମନ୍ଦିର, ବରିମୁଣ୍ଡର ଲକ୍ଷେଶ୍ବର ମହାଦେବ, ମା’ ଭୁଆଷୁଣି ଠାକୁରାଣୀ, ଦଧିବାମନ ଜୀଉ ମନ୍ଦିର ଓ ମୁକ୍ତିଚିନ୍ତାମଣିଶ୍ବର ମନ୍ଦିର।

ସେହିଭଳି ଜିଲ୍ଲାର ଅନ୍ୟ ଜାଗାରେ ରହିଥିବା ମନ୍ଦିରଗୁଡ଼ିକ ହେଉଛି ଯାଁଳାର ବାଟ ଭୁଆଷୁଣି, ନଖରାର ଶ୍ରୀଲକ୍ଷେଶ୍ବର ମହାଦେବ, ବାଣପୁରର ଦକ୍ଷେଶ୍ବର ଭଗବତୀ ଓ ଉମା ମହେଶ୍ବର ଦେବ ମନ୍ଦିର, ଖୋର୍ଦ୍ଧାର ଚନ୍ଦେଶ୍ବର ମହାଦେବ ଏବଂ ଗବପଦରର ଶ୍ରୀରାମେଶ୍ବର ଦେବ ମନ୍ଦିର। ଖୁବ୍‌ଶୀଘ୍ର ଏହି ମଠ ମନ୍ଦିରଗୁଡ଼ିକର ଅଡିଟ୍‌ ଆରମ୍ଭ ହେବ। ପୂର୍ବରୁ ୬୧ ମଠ ମନ୍ଦିରର ଏଜି ଅଡିଟ୍‌ କଲାବେଳେ ଠାକୁରଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ଚାଲିଥିବା ନେଇ ପ୍ରମାଣ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ପୂଜା କମିଟିର ୩ କୋଟି ୧୧ଲକ୍ଷ ଟଙ୍କାର ଦୁର୍ନୀତି ଏଜି ଧରିବା ପରେ ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦେବୋତ୍ତର ବିଭାଗ କ୍ରାଇମ୍‌ ବ୍ରାଞ୍ଚକୁ ସୁପାରିସ କରିଛି। ଏଠାରେ ଜଣେ କର୍ମଚାରୀଙ୍କ ନାମରେ ଏତଲା ଦିଆଯିବା ପରେ ସେ ଚାକିରି ଛାଡ଼ି ଚାଲି ଯାଇଛନ୍ତି। ଏବେ ଏହି ସବୁ ମନ୍ଦିରର ଏଜି ଅଡିଟ୍‌ କରିବାକୁ ଯାଉଥିବାରୁ ଠାକୁରଙ୍କ ସମ୍ପତ୍ତି ଲୁଟ୍‌ କରିଥିବା ତତ୍‌କାଳୀନ ଟ୍ର‌ଷ୍ଟ ବୋର୍ଡ ସଦସ୍ୟ ଓ ସେମାନଙ୍କୁ ସହଯୋଗ କରିଥିବା କେତେକ ପୁରୁଣା ସରକାରୀ କର୍ମଚାରୀ ପ୍ରମାଦ ଗଣିଛନ୍ତି।

By amfnews

Related Post