Mon. Oct 5th, 2026

ସ୍ତ୍ରୀ ସହ ଝଗଡ଼ା କରି ୩ ବର୍ଷୀୟ ଝିଅ ସହ ଦୁଷ୍କର୍ମ କଲା ବାପ

265 Views

ନୂଆଦିଲ୍ଲୀ, ଡିସେମ୍ବର ୦୧ : ନିଜ ୩ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଗୁରୁଗ୍ରାମ ପୁଲିସ ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣେ ମିନି ଟ୍ରକ୍‌ ଡ୍ରାଇଭର୍‌। ଏସିପି ଶମଶେର ସିଂହ କହିଛନ୍ତି ଯେ ନିଶାସକ୍ତ ଅବସ୍ଥାରେ ଲୋକଟି ସ୍ତ୍ରୀ ସହ କଳିକଜିଆ କରିଥିଲା। ଫଳରେ ସ୍ତ୍ରୀ ଘଟନା ଘଟିବାର ରାତିରେ ଜଣେ ଅତ୍ମୀୟଙ୍କ ଘରକୁ ଚାଲିଯାଇଥିଲେ।

ସିଂହ କହନ୍ତି: ପୀଡ଼ିତାଙ୍କ ମାଆ ନିଜର ବର୍ଷିକିଆ ଝିଅକୁ ଧରି ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ତାଙ୍କ ୩ ବର୍ଷୀୟ ବଡ଼ ଝିଅ ଘରେ ଶୋଇପଡ଼ିଥିଲା। ଝିଅକୁ ଏକଲା ପାଇ ଅଭିଯୁକ୍ତ ତା’ ସହ ଦୁଷ୍କର୍ମ କରିଥିଲା।

ପୀଡ଼ିତାଙ୍କ ମାଆ ଘରକୁ ଫେରିବା ପରେ ହିଁ କଥା ବାହାରକୁ ଆସିଥିଲା। ସେ ଆସି ଦେଖିଲେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ବିଛଣାରେ ପଡ଼ିଛି। ଝିଅ ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ବାପ ଘଟନାସ୍ଥଳରୁ ଖସି ପଳାଇଥିଲେ।

ପୀଡ଼ିତାଙ୍କ ମାଆ ତୁରନ୍ତ ପୁଲିସକୁ ଫୋନ୍‌ କରି ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଗୁରୁଗ୍ରାମ ସିଭିଲ୍‌ ହସ୍‌ପିଟାଲ୍‌କୁ ନେଲେ। ଡାକ୍ତରୀ ମାଇନା ପରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେଲା।

ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ପୋକ୍‌ସୋ ଆଇନ ବଳରେ ମାମଲା ରୁଜୁ କରାଯାଇଛି। ତାଙ୍କ ମୂଳଘର ଉତ୍ତର ପ୍ରଦେଶର କାସଗଞ୍ଜ ବୋଲି ଏସିପି କହିଛନ୍ତି।

By amfnews

Related Post