Fri. Apr 24th, 2026

ସୁନ୍ଦରଗଡ଼: ଅଜଣା ଟ୍ରକ୍‌ ଧକ୍କା ଯୋଗୁଁ ବାପପୁଅ ମୃତ

238 Views

ରାଉରକେଲା, ଡିସେମ୍ବର ୦୧ : ଶୁକ୍ରବାର ରାତି ୧୦: ୩୦ରୁ ୧୧ଟା ମଧ୍ୟରେ ୧୪୩ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପାନପୋଷ-ବାଲୁଘାଟ ଛକରେ ଗୋଟାଏ ଅଜ୍ଞାତ ଟ୍ରକ୍‌ ଧକ୍କା ଦେଇ ଚଢ଼ି ଯିବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିମାନେ ହେଉଛିନ୍ତି ବାପ ଓ ପୁଅ ଏବଂ ସେମାନେ ପେଷାରେ ଡ୍ରାଇଭର୍‌। ୩୬ ବର୍ଷିୟ ପୁଅ ଶମ୍ଭୁ ସେଠୀ ବାଲୁଘାଟ ଛକରେ ନିଜ ଚଳାଉଥିବା ଟ୍ରକ୍‌ ରଖି ୫୮ ବର୍ଷିୟ ବାପା ମୁନ୍ନା ସେଠୀଙ୍କ ସହ କଥାବାର୍ତ୍ତା କରୁଥିଲେ।ଏତିକି ବେଳେ ଡମ୍ପର୍‌ ବୋଲି କେତେକ ଲୋକ କହୁଥିବା ଅନ୍ୟ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚଢ଼ିଯାଇ ଥିଲା। ଫଳରେ ଘଟନାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଲା।

ଖବର ପାଇ ରଘୁନାଥପାଲି ପୁଲିସ ଗାଡ଼ି ଚାପାରେ ଛିନ୍ନଚ୍ଛତ୍ର ହୋଇ ଯାଇଥିବା ବାପପୁଅଙ୍କ ଶବ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ରଖିଥିଲା। ଆଜି ତାହା ବ୍ୟବଚ୍ଛେଦ କରାଯିବ।ଏଥିରେ ଉତ୍ତ୍ୟକ୍ତ ହୋଇ ଉଭୟଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ଶନିବାର ସକାଳୁ ସମ୍ପୃକ୍ତ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସେଠାରେ ଏକ ସ୍ପିଡ୍‌ବ୍ରେକର୍‌ ତିଆରି କରିବା, ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଏବଂ ମୃତ ବାପପୁଅଙ୍କ ଲାଗି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିବାରୁ ଯାତ୍ରୀମାନେ ହଟହଟା ହେଉଛନ୍ତି।ପୁଲିସ ଅବରୋଧକାରୀଙ୍କ ସହ ଆଲୋଚନା ଚଳାଇଛି, କିନ୍ତୁ ଏ ଯାଏ ସମାଧାନର କୌଣସି ବାଟ ବାହାରି ନାହିଁ।

By amfnews

Related Post