Fri. May 15th, 2026

ସିମରନ୍‌ଙ୍କ ପରିବାର ମର୍ମାହତ, ଆତଙ୍କିତ

370 Views

ସମ୍ବଲପୁର, ଜାନୁଆରୀ ୩୧ : ସେଲ୍‌ଫି ବେବୋ ସିମରନ ସିଂଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଯୁଗ ସୁନାଙ୍କୁ ରିମାଣ୍ଡରେ ଆଣି ଜେରା ଚଳାଇଛି ବୁର୍ଲା ପୁଲିସ। ଆବଶ୍ୟକ ପଡ଼ିଲେ ରିମାଣ୍ଡ ଅବଧି ବଢ଼ାଇବାକୁ ପୁଲିସ ଆବେଦନ କରିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ହତ୍ୟା ପୂର୍ବରୁ ସିମରନ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ବୋଲି ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ଖବରକୁ ନେଇ ମର୍ମାହତ ହୋଇ ପଡ଼ିଛନ୍ତି ତାଙ୍କ ପରିବାର। ତାଙ୍କ ଝିଅର ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ସଂପର୍କରେ ସାମାନ୍ୟତମ ସୂଚନା ନ ଥିବା ବେଳେ ଏଭଳି ଖବର ପ୍ରକାଶ ପାଇବା ଦୁଃଖଦାୟକ ବୋଲି ସିମରନ୍‌ଙ୍କ ମା’ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତଦନ୍ତକାରୀ ବୁର୍ଲା ଥାନାଧିକାରୀ ମଧ୍ୟ ଗଣଦୁଷ୍କର୍ମ କଥାକୁ ଅସ୍ବୀକାର କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ରହସ୍ୟ ଉପରୁ ପର୍ଦା ହଟିବ ବୋଲି ସେ କହିଛନ୍ତି।

ଆଜି ସମ୍ବାଦକୁ ପ୍ରତିକ୍ରିୟା ଦେଇ ସିମରନ୍‌ଙ୍କ ମା’ କହିଛନ୍ତି ତାଙ୍କ ଝିଅର ପୋଷ୍ଟ ମର୍ଟମ ରିପୋର୍ଟ ତାଙ୍କ ପାଖରେ ରହିଛି। ସିମରନଙ୍କ ବାମ ହାତରେ କ୍ଷତ ସହିତ ଦାନ୍ତ, ମୁଣ୍ଡ, ଛାତି, ପିଚା, ମୁଣ୍ଡର ପଛ ପଟରେ ଗଭୀର ଆଘାତ ଲାଗିଥିବା ଏଥିରେ ଦର୍ଶାଯାଇଛି। ସିମରନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଥିଲେ ମଧ୍ୟ ଦୁଷ୍କର୍ମ ହୋଇଥିବା କଥା ଏଥିରୁ ଜଣାପଡ଼ୁ ନାହିଁ। ତେଣୁ ସିମରନ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ବୋଲି ପ୍ରକାଶିତ ରିପୋର୍ଟ ସେମାନଙ୍କୁ ମର୍ମାହତ କରିଛି ବୋଲି ତାଙ୍କ ମା’ କହିଛନ୍ତି।

ଅନ୍ୟପକ୍ଷରେ ଯୁଗକୁ ରିମାଣ୍ଡରେ ନିଆଯାଇଥିଲେ ବି ସିମରନ୍‌ଙ୍କ ପରିବାର ଏବେ ଆତଙ୍କ ଭିତରେ ଥିବା ତାଙ୍କ ମା’ କହିଛନ୍ତି। ସିିମରନ୍‌ଙ୍କ ବାପାଙ୍କୁ କିଛି ଲୋକ ବିଭିନ୍ନ ସମୟରେ ଅନୁସରଣ କରୁଥିବା ନେଇ ସେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ଯୁଗଙ୍କ ପରିବାର ଲୋକଙ୍କ ଭୟରେ ତାଙ୍କ ପୁଅଙ୍କୁ ସ୍କୁଲକୁ ପଠାଉନଥିବା ମଧ୍ୟ କହିଛନ୍ତି।

By amfnews

Related Post