Wed. Jul 22nd, 2026

ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା : ଏକ୍ସଟରନାଲ ଚୟନରେ ନିୟମ କୋହଳ

374 Views

ଭୁବନେଶ୍ବର , ଜାନୁଆରୀ ୩୧ : ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷାରେ ସୃଷ୍ଟି ହୋଇଥିବା ବିଭ୍ରାଟର ସମାଧାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାଣିଜ୍ୟ ବିଭାଗର ବିଜନେସ୍‌ ଇକୋନୋମିକ୍ସ ବିଷୟର ପ୍ରୋଜେକ୍ଟ ମୂଲ୍ୟାୟନ ପାଇଁ ଏକ୍ସଟରନାଲ ଅଭାବ ପରିଲକ୍ଷିତ ହୋଇଥିଲା। ‌ଯେଉଁଥିପାଇଁ ଶେଷରେ ପରିଷଦ ନିଜ ନିୟମରେ ପରିବର୍ତନ ଆଣିଛି। ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯାଇଥିବା ଏକ୍ସଟରନାଲ ପରୀକ୍ଷକଙ୍କ ତାଲିକାରେ କିଛିଟା ପରିବର୍ତନ କରାଯାଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷମାନଙ୍କୁ ଆଜି ଚିଠି ଲେଖିଛନ୍ତି।

ଶ୍ରୀ ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବାଣିଜ୍ୟ ବିଭାଗର ବିଜନେସ୍‌ ଇକୋନୋମିକ୍ସ ବିଷୟର ପ୍ରୋଜେକ୍ଟଳ ମୂଲ୍ୟାୟନରେ ସ୍ଥାନୀୟ ଅଧ୍ୟାପକମାନଙ୍କୁ ଏକ୍ସଟରନାଲ ଭାବେ ସାମିଲ କର। ଯେଉଁମାନଙ୍କୁ ଏକ୍ସଟରନାଲ ଭାବେ ନିଯୁକ୍ତ କରାଯିବ, ସେମାନଙ୍କର ଉପଯୁକ୍ତ ଯୋଗ୍ୟତା ରହିଥିବ। ନିକଟସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକଙ୍କୁ ନିଯୁକ୍ତି କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ଅନ୍ୟପକ୍ଷରେ ଦୁଇ ଦିନ ଧରି ପ୍ରାକ୍ଟିକାଲ ପରୀକ୍ଷାରେ ବିଭ୍ରାଟ ଲାଗି ରହିବା ପରେ ଆଜି କିଛିଟା ସୁଧାର ଆସିଛି। ଏକ୍ସଟରନାଲମାନେ ଯୋଗଦେବା ପରେ ବହୁ କଲେଜରେ ପରୀକ୍ଷା ଆରମ୍ଭ ହୋଇଛି। କଳା ଓ ବାଣିଜ୍ୟ ବିଭାଗ ଅପେକ୍ଷା ବିଜ୍ଞାନ ବିଭାଗ ବିଷୟଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ପରୀକ୍ଷା ସରିବାର ୭ ଦିନ ମଧ୍ୟରେ କଲେଜଗୁଡ଼ିକ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ପରିଷଦକୁ ପଠାଇବାକୁ କୁହାଯାଇଛି।

By amfnews

Related Post