Sat. Oct 17th, 2026
299 Views

ନୂଆଦିଲ୍ଲୀ: ପାଗ ବିଗିଡ଼ିବା ସହ ଆଜି ସକାଳଠାରୁ ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଲାଗିରହିଛି | ଗତ କିଛି ଦିନ ଧରି ଲଗାତାର ଭାବେ ବଢୁଥିବା ଉତ୍ତାପରୁ ବର୍ଷା ଆରାମ ଦେଇଥବା ବେଳେ ବର୍ଷା ଜଳ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀର ମିଣ୍ଟୋ ରୋଡ ଅଞ୍ଚଳରେ ଥିବା ଅଣ୍ଡରପାସ୍ ଜଳବନ୍ଦୀ ହୋଇ ରହିଛି। ଏହି ସମୟ ମଧ୍ୟରେ ଅଣ୍ଡରପାସ୍ ଦେଇ ଯାଉଥିବା ଏକ ଡିଟିସି ବସ୍ ପାଣିରେ ବୁଡ଼ି ଯାଇଥିବା ନେଇ ଖବର ମିଳିଥିବା ବେଳେ ବସ ଭିତରେ ସେ ସମୟରେ କୌଣସି ଯାତ୍ରୀ ନଥିବା ଜଣା ପଡିଛି | ତେବେ ବସଟି ପାଣିରେ ବୁଡିଯିବା ପରେ ବସ ଚାଳକ ଏବଂ ତାଙ୍କ ସହଯୋଗୀ ବସ ଉପରକୁ ଆସିଯିବା ସହ ସେଠାରୁ ଦୁହିଁଙ୍କୁ ନିଶୁଣି ଲଗାଇ ଉଦ୍ଧାର କରାଯାଇଥିବା ଜଣା ପଡିଛି | ଘଟଣା ସମୟର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବସ ଚାଳକ ଏବଂ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରାଯାଉଥିବା ଦେଖାଯାଇଛି |

ଗୋଟିଏ ପଟେ ଦିଲ୍ଲୀରେ ବର୍ଷା ଖରା ଉତ୍ତାପରୁ ମୁକ୍ତି ଦେଇଥିବା ବେଳେ ବର୍ଷା ଜଳ ଅନେକ ସ୍ଥାନରେ ସମସ୍ୟା ସୃଷ୍ଟି କରିଛି। । ପାଣିପାଗ ବିଭାଗର ସୂଚନାନୁସାରେ, ମୌସୁମୀ ଉତ୍ତର ଆଡକୁ ଗତି କରିବ ଏବଂ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ। ଜୁଲାଇ ୧୯ରୁ ୨୧ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଏହାର ସଂଲଗ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

By amfnews

Related Post