Mon. Sep 7th, 2026

ଯାଜପୁର ଜିଲ୍ଲାରେ କୋହଳ ହେଲେ ଲକ୍‌ଡାଉନ୍‌ କଟକଣା, ଖୋଲିଲା ଆଉ କିଛି ଅତ୍ୟାବଶ୍ୟକ ଦୋକାନ

243 Views

ଯାଜପୁର : କେନ୍ଦ୍ର ସରକାର ଜାରି କରିଥିବା ଲକ୍‌ଡାଉନ୍ ଅବଧି ଆସନ୍ତାକାଲି ଶେଷ ହେଉଛି। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏହା ଏପ୍ରିଲ୍ ୩୦ ଯାଏ ବଳବତ୍ତର ରହିବ। ଆଉ ୟା ଭିତରେ ଯାଜପୁର ଜିଲ୍ଲାରେ ଲକ୍‌ଡାଉନ୍ କଟକଣାକୁ ଟିକେ କୋହଳ କରାଯାଇଛି। ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇ ଆଉ କିଛି ଅତ୍ୟାବଶ୍ୟକ ଦୋକାନକୁ ଖୋଲିବାକୁ ଅନୁମତି ଦେଇଛି।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆଜି ଠାରୁ ଜିଲ୍ଲାରେ ବହି ଦୋକାନ, ସାଇକେଲ୍ ମରାମତି ଦୋକାନ ଓ ଗ୍ୟାରେଜ୍ ଖୋଲା ରହିବ। ସେହିପରି ଓମ୍‌ଫେଡ୍ ଷ୍ଟଲ୍‌, ଦୁଗ୍ଧଜାତ ସାମଗ୍ରୀ ମିଳୁଥିବା ଦୋକାନ ଓ ବିଭିନ୍ନ ବିଦ୍ୟୁତ୍ ଉପକରଣ ମିଳୁଥିବା ଦୋକାନଗୁଡ଼ିକ ମଧ୍ୟ ଖୋଲା ରହିବ। କିନ୍ତୁ ଏ ସବୁ ଦୋକାନ କେବଳ ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲକ୍‌ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଥିଲେ ବି ଲକ୍‌ଡାଉନ୍‌ର ଅନ୍ୟସବୁ ନିୟମ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରି ଦେଇଛନ୍ତି। ଲୋକେସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ଏବେ ଖରାଦିନ। ତେଣୁ ଫ୍ୟାନ୍ ଆଦି ବିଦ୍ୟୁତ୍ ଉପକରଣ ଖରାପ ହୋଇଗଲେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ସେଥିପାଇଁ ବିଦ୍ୟୁତ୍ ଉପକରଣ ମିଳୁଥିବା ଦୋକାନ, ତଥା ଏଗୁଡ଼ିକ ମରାମତି ହେଉଥିବା ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ପାଠ୍ୟପୁସ୍ତକ ମିଳୁଥିବା ଦୋକାନଗୁଡ଼ିକୁ ଏହି ସମୟ ମଧ୍ୟରେ ଖୋଲା ରଖିବାକୁ କୁହାଯାଇଛି। କାରଣ ସେଠାରେ ପିଲାଙ୍କ ପାଠପଢ଼ା ବହିତ ସହିତ ଖାତା, କଲମ, ପେନ୍‌ସିଲ୍ ଓ ରବର ଭଳି ଅନ୍ୟାନ୍ୟ ଜିନିଷ ମିଳିଥାଏ। ତେଣୁ ବହି ଦୋକାନ ଖୋଲା ରଖିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ଗତକାଲି ସନ୍ଧ୍ୟା ୮ଟା ପରେ ଏହାକୁ ହଟାଇ ନିଆଯାଇଛି। ସଂପୃକ୍ତ କରୋନା ଆକ୍ରାନ୍ତ ଏବେ ସୁସ୍ଥ ଅଛନ୍ତି। ସେହିପରି ଏହି ଅଞ୍ଚଳରୁ ଆଉ କାହାରି ରିପୋର୍ଟ ନେଗେଟିଭ୍ ଆସି ନାହିଁ। ତେଣୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଏହି ଅଞ୍ଚଳରେ ଯେଉଁ କଟକଣା ଲାଗିଥିଲେ, ତାକୁ ହଟାଇ ଦିଆଯାଇଛି। ତେବେ ଏଠାରେ ପୂର୍ବଭଳି ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ।

By amfnews

Related Post