Sun. Sep 27th, 2026
260 Views

ବାରିପଦ : ସାମାନ୍ୟ ବଚସାରୁ ଦୁଇ ଜଣଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ। ମୃତକ ହେଲେ ରାଧାକୃଷ୍ଣ ବାରିକ। ଗୁରୁତର ବ୍ୟକ୍ତି ହେଲେ ଶରତ ବାରିକ। ଏମାନେ ଦୁଇ ଜଣ ସାଙ୍ଗ ଥିଲେ।

ଗତକାଲି ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ଓ ଶରତ ଗାଁ ମୁଣ୍ଡକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ଏକ ମଦ ଦୋକାନ ପାଖରେ ଥିବା କିଛି ଦୁର୍ବୃତ୍ତଙ୍କ ସହ କୌଣସି କଥାକୁ ନେଇ ସେମାନଙ୍କର ବଚସା ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ଆସି ପ୍ରଥମେ ରାଧାକୃଷ୍ଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି ଶରତ ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହାପରେ ଦୁର୍ବୃତ୍ତମାନେ  ଶରତ ଓ ରାଧାକୃଷ୍ଣଙ୍କୁ ନିକଟରେ ଥିବା ପୋଖରୀରେ ଫିଙ୍ଗି ଫେରାର୍ ହୋଇଯାଇଥିଲେ।

ଖବର ପାଇ ରାଧାକୃଷ୍ଣ ଓ ଶରତଙ୍କ ପରିବାର ଲୋକେ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ରାଧାକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଅଟକ ରହିଛି। ଏଥିସହ ଆଉ ୩ ଜଣ ଫେରାର ଥିବା ଜଣାପଡ଼ିଛି। ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ଜଣାପଡ଼ିଛି।

By amfnews

Related Post