Sat. Apr 25th, 2026

ଭିସୁଟ୍‌ ର‍୍ୟାଗିଂ ଘଟଣା : ୨ ସୁରକ୍ଷାକର୍ମୀ ବହିଷ୍କୃତ, ସ୍କାନର୍‌ରେ ଆଉ ୫ ଛାତ୍ର!

134 Views

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟରେ ରୢାଗିଂ ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ସୋମବାର କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ଘଟଣା ଦିନ ସନ୍ଧ୍ୟାରେ ଉକ୍ତ ଛାତ୍ରାବାସର ୨ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିଲା। ତଦନ୍ତ‌ରେ ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ୨ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରାଯାଇଛି।

ଏହାସହିତ ବିଶ୍ବବିଦ୍ୟାଳୟର ସୁରକ୍ଷା ଦାୟିତ୍ବ ନେଇଥିବା ରିଲାଏବଲ ସିକ୍ୟୁରିଟି ସଂସ୍ଥାକୁ ମଧ୍ୟ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅପରପକ୍ଷେ, ସମସ୍ତ ଘଟଣାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ଯାଞ୍ଚ ମଧ୍ୟ ଚାଲିଛି। ତେବେ ଭିଡିଓଗ୍ରାଫି ଯାଞ୍ଚ ସମୟରେ ଆଉ ୫ ଜଣ ଛାତ୍ର ମଧ୍ୟ ସ୍କାନରକୁ ଆସିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏନେଇ କୁଳପତି ପ୍ରଫେସର ଚୌଧୁରୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଆଧାରରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ସୁରକ୍ଷା କର୍ମୀଙ୍କୁ ବାହାର କରାଯାଇଥିବା ବେଳେ ଅଦ୍ୟାବଧି ତଦନ୍ତ ଜାରି ରହିଛି ବୋଲି କହିଥିଲେ। ନିଜର କାର୍ଯ୍ୟକାଳ ଶେଷ ସୁଦ୍ଧା ଭିସୁଟକୁ ସମ୍ପୂର୍ଣ୍ଣ ରୢାଗିଂ ମୁକ୍ତ କ୍ୟାମ୍ପସ ଭାବେ ଗଢ଼ିତୋଳିବେ ବୋଲି ମଧ୍ୟ ପ୍ରଫେସର ଚୌଧୁରୀ କହିଛନ୍ତି। ସେପଟେ, ରୢାଗିଂ ଏକ ସାଂଘାତିକ ଘଟଣା ହୋଇଥିବାରୁ ବିଧିବଦ୍ଧ ଭାବେ ଏହାର ପ୍ରମାଣ ସଂଗ୍ରହ କରାଯାଉଛି ଓ ତଥ୍ୟ ମିଳିଲେ କୌଣସି ବି ଦୋଷୀ ବର୍ତ୍ତିପାରିବେନି ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ।

ଉଲ୍ଳେଖ‌ଯୋଗ୍ୟ, ରୢାଗିଂ ଘଟଣାର ପ୍ରାଥମିକ ତଦନ୍ତ କରାଯାଇ ୧୦ ଜଣ ଛାତ୍ରଙ୍କୁ ‌େଗାଟିଏ ବର୍ଷ ପରୀକ୍ଷା ଦେଇନପାରିବା ନେଇ ନିର୍ଦେଶ ଜାରି କରିବା ସହ ୫୨ ଜଣ ଛାତ୍ରଙ୍କୁ ଜରିମାନା କରାଯାଇଥିଲା।

By amfnews

Related Post