Sat. Apr 25th, 2026

ଭରତପୁର କୋଇଲା ଖଣିରୁ ମିଳିଲା ଆଉ ଦୁଇ ଜଣଙ୍କ ମୃତଦେହ

203 Views

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ପମ୍ପ ଅପରେଟର୍‌ ରାଜକିଶୋର ମହାପାତ୍ର ଓ ସୁପରଭାଇଜର ରଶ୍ମୀରଞ୍ଜନ ବେହେରା। ଏହା ସହିତ ଏ ଘଟଣାରେ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ଏବେବି ରମେଶ ଦାଶ ନାମକ ଆଉ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ସେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

ତିନି ଦିନ ଧରି ଖୋଜିବା ପରେ ଆଜି ରାଜକିଶୋର ଓ ରଶ୍ମୀରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରଶ୍ମୀରଞ୍ଜନଙ୍କ ଘର ଗୋବରା ଗାଁରେ ହୋଇଥିବା ବେଳେ ରମେଶ ହେଉଛନ୍ତି ନକେଇପଶି ଗାଁର। ଅନ୍ୟପକ୍ଷରେ ଖଣି ସୁରକ୍ଷା ଦାବିରେ ଆଜି ବିଜେପି ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଖଣି ବନ୍ଦ ଯୋଗୁ କୋଇଲା ଉତ୍ତୋଳନ ଓ ପରିବହନ ପୂରା ଠପ୍ ହୋଇ ଯାଇଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ କାମ ସାରି ବାହାରୁଥିଲେ ଓ ଆଉ କିଛି ପ୍ରବେଶ କରୁଥିଲେ। ଏହି ସମୟରେ  ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁ ଆଖି ପିଛୁଳାକେ ଧସି ପଡିଥିଲା ପାହାଡ଼ ସଦୃଶ ମାଟି। ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ମାଟି ଧସି ଥିଲା। ଏଥିରେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ। ୨୪ ତାରିଖରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଦୁଇଟି ମୃତଦେହ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

By amfnews

Related Post