Wed. Oct 14th, 2026

ବିବାହ ଅନିଶ୍ଚିତ ଜାଣି ଯଦି ମହିଳା ଦୈହିକ ସମ୍ପର୍କ ରଖନ୍ତି, ତାହା ଦୁଷ୍କର୍ମ ବିବେଚିତ ହେବନାହିଁ: ସୁପ୍ରିମ୍‌ କୋର୍ଟ

829 Views

ନୂଆଦିଲ୍ଲୀ  :  ବିବାହ ହେବ ନାହିଁ ଜାଣି ସୁଦ୍ଧା ଯଦି ଜଣେ ନାରୀ କୌଣସି ପୁରୁଷ ସହ ଦୀର୍ଘ ଦିନ ଧରି ଦୈହିକ ସମ୍ପର୍କ ରଖନ୍ତି, ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଛନ୍ତି ବୋଲି ସେ ତାଙ୍କୁ ଦୋଷ ଦେଇ ପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।

ସିଆର୍‌ପିଏଫ୍‌ର ଜଣେ ଡେପୁଟି କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଜଣେ ସେଲ୍‌ ଟ୍ୟାକ୍ସ୍‍ର ଜଣେ ଆସିଷ୍ଟାଣ୍ଟ୍‌ କମିସନର୍‌ ଦାଏର କରିଥିବା ଦୁଷ୍କର୍ମ ମାମଲାକୁ ଖାରଜ କରିବା ବେଳେ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀ ଏ ଭଳି ରାୟ ଶୁଣାଇଛନ୍ତି। ସେମାନେ ୬ ବର୍ଷ କାଳ ସମ୍ପର୍କରେ ଥିଲେ ଏବଂ ପରସ୍ପରଙ୍କ ଘରେ ବହୁଥର ରହିଥିଲେ। ସହମତିରେ ସମ୍ପର୍କ ଚାଲିଥିବା କଥା ଏଥିରୁ ଜଣାପଡୁଛି ବୋଲି ଅଦାଲତ କହିଛନ୍ତି।

୧୯୯୮ ମସିହାରୁ ସିଆର୍‌ପିଏଫ୍‌ ବ୍ୟକ୍ତିଙ୍କୁ ଜାଣିଥିବା ଅଭିଯୋଗକାରିଣୀ ଅଭିଯୋଗ କରିଛନ୍ତି କି, ବିବାହର ପ୍ରତିଶ୍ରୁତି ଦେଇ ସେ ୨୦୦୮ରୁ ତାଙ୍କ ସହ ଦୈହିକ ସମ୍ପର୍କ ସ୍ଥାପନ କରିଛନ୍ତି। ୨୦୧୬ ଯାଏଁ ଚାଲିଥିବା ଏହି ସମ୍ପର୍କ ସମୟରେ ଉଭୟ ଉଭୟଙ୍କ ଘରକୁ ଯାଇ ଦିନ ଦିନ ଧରି ଏକତ୍ର ରୁହୁଥିଲେ। ୨୦୧୪ରେ ଜାତି ପ୍ରସଙ୍ଗ ଉଠାଇ ସିଆର୍‌ପିଏଫ୍‌ ବ୍ୟକ୍ତି ଜଣକ ବିବାହ ସଂକ୍ରାନ୍ତରେ ଚିନ୍ତା ଉଦ୍ରେକ କରାଇଥିଲେ ବି ସମ୍ପର୍କ ଚାଲୁ ରହିଥିଲା। ଅନ୍ୟ ଜଣେ ଯୁବତୀଙ୍କ ସହ ନିର୍ବନ୍ଧ ହେଉଛି ବୋଲି ସିଆର୍‌ପିଏଫ୍‌ ବ୍ୟକ୍ତି କହିବା ପରେ ୨୦୧୬ରେ ସେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଫାଇଲ୍‌ କଲେ।

By amfnews

Related Post