Sat. Jul 25th, 2026

ବାଇକ୍‌ ଷ୍ଟଣ୍ଟ୍‌ରୁ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ ୪ ଗୁରୁତର

299 Views

ପାରାଦୀପ : ସାମାନ୍ୟ କଥାକୁ ନେଇ ଆଜି ଅପରାହ୍ନରେ ପାରାଦୀପ ବେଳାଭୂମି ରାସ୍ତା ରକ୍ତରଂଜିତ ହୋଇଉଠିଛି। ବାଇକ୍‌ରେ ଷ୍ଟଣ୍ଟ୍ କରୁଥିବା ଦୁଇଟି ଗ୍ରୁପ୍ ମଧ୍ୟରେ କମେଣ୍ଟ୍‌ମରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ଅନ୍ୟ ଗୋଷ୍ଠୀର ୪ ଜଣ ଯୁବକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ପୋର୍ଟ ଟ୍ରଷ୍ଟ୍‌ ହସ୍ପିଟାଲରେ ଭର୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନରେ ପାରାଦୀପ ବେଳାଭୂମି ରାସ୍ତା ଫାଙ୍କା ରହୁଥିବାରୁ ବହୁସଂଖ୍ୟକ ଯୁବକ ସେଠାରେ ଷ୍ଟଣ୍ଟ୍‌ ସୋ କରନ୍ତି। ଆଜି ଅପରାହ୍ନ ସାଢ଼େ ୩ଟା ବେ‌ଳେ କେତେଜଣ ଯୁବକ ଏହି ରାସ୍ତାରେ ‘ବାଇକ୍‌ ଷ୍ଟଣ୍ଟ୍‌’ କରୁଥିଲେ। ସେମାନଙ୍କ ମଧ୍ୟରୁ ଟିଭିଏସ୍ ଆପାଚି ବାଇକ୍‌ରେ ଥିବା ଦୁଇଜଣ ଯୁବକଙ୍କ ବାଇକ୍ ସହ ଆଉ ଏକ ବାଇକ୍ ଘସି ହୋଇଯିବାରୁ ସେମାନେ ସମସ୍ତେ ପଡ଼ି ଯାଇଥିଲେ। ନିକଟରେ ଅନ୍ୟ ଦୁଇଟି ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିବା ୪ଜଣ ଯୁବକ ଏହାକୁ ଦେଖି ହସି ପକାଇଥିଲେ। ଫଳରେ ବାଇକ୍‌ରୁ ପଡ଼ି ଯାଇଥିବା ଯୁବକମାନେ ଉତ୍ତ୍ୟକ୍ତ ହୋଇ ସେମାନଙ୍କ ସହ ପାଟିତୁଣ୍ତ କରିଥିଲେ। କିଛି ସମୟ ଭିତରେ ସେମାନଙ୍କ ପାଟିତୁଣ୍ତ ଓ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା। ବାଇକ୍‌ରୁ ଖସି ପଡ଼ିଥିବା ଯୁବକମାନେ ନିଜ ପାଖରେ ରଖିଥିବା ଏକ ଛୋଟ ଛୁରୀରେ ହସୁଥିବା ୪ଯୁବକ ନିକାଶ ଗୋଚ୍ଛାୟତ, ସରୋଜ ପାତ୍ର, କରନ ଦାସ ଓ ସତ୍ୟଜିତ ସାହୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ୪ ଜଣ ଯାକ ଆହତ ହୋଇଛନ୍ତି।

By amfnews

Related Post