Thu. Jul 2nd, 2026

ବଜେଟ୍ ଦରବୃଦ୍ଧି ଘଟାଇବ, କୃଷକ ଓ ଯୁବକ ହତାଶ: ସିପିଏମ

258 Views

ଭୁବନେଶ୍ୱର : ମୋଦି ସରକାରଙ୍କର ୨ୟ ପାଳିରେ ଅର୍ଥମନ୍ତ୍ରୀ ସୀତାରମଣ ଯେଉଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ତାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ସମାଲୋଚନା କରିଛି। ଏଥିରେ ମୋଦି ସରକାର ପେଟ୍ରୋଲ, ଡିଜେଲ ଲିଟର ପ୍ରତି ୧ ଟଙ୍କା ଅଧିକ ସେସ୍ ଲାଗୁ କରିଛନ୍ତି। ଏହା ଫଳରେ ପ୍ରତ୍ୟେକଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଚାଷୀ ତା’ର ଫସଲର ଲାଭଜନକ ମୂଲ୍ୟ ପାଇବା କ୍ଷେତ୍ରରେ ବଜେଟ୍ ନିରବ। ଯୁବକମାନଙ୍କୁ ନିଯୁକ୍ତି ମିଳିବା କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ନାହିଁ। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ୧,୦୫,୦୦୦ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଭଳି ଭୟଙ୍କର ପ୍ରସ୍ତାବ ବଜେଟରେ ରହିଛି। ଅନ୍ୟ ପକ୍ଷରେ ବଡ଼ ବଡ଼ ପୁଞ୍ଜିପତି ଓ କମ୍ପାନୀମାନଙ୍କ ପାଇଁ ଟିକସ ହ୍ରାସ କରାଯାଇଛି। ୫୦ କୋଟି ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କଥା କୁହାଯାଇଛି। କିନ୍ତୁ ସେଥିପାଇଁ ଆବଶ୍ୟକ ବ୍ୟୟ ବ୍ୟବସ୍ଥା ନାହିଁ। ସରକାର କେଉଁଠାରୁ ବଜେଟ୍ ବ୍ୟୟ ପାଇଁ ଅର୍ଥ ଆଣିବେ ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି।

ଦଳ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି, ବାସ୍ତବତାଠାରୁ ଆୟକୁ ବହୁ ଅଧିକ ଦର୍ଶାଇ ବ୍ୟୟ ପରିମାଣକୁ କୃତ୍ରିମ ଭାବେ ବୃଦ୍ଧି କରି ଏକ ସୁନେଲି ସ୍ୱପ୍ନ ଦେଖାଇବା ପାଇଁ ପ୍ରୟାସ କରାଯାଇଛି। ଉଦାହରଣ ସ୍ୱରୁପ ଆମର ଜି.ଡି.ପି ବିଗତ ତ୍ରୈମାସରେ ମାତ୍ର ୫.୮% ବୃଦ୍ଧି ପାଇଥିବା ବେଳେ ସରକାର ୨୦୧୯-୨୦ ବର୍ଷରେ ଜି.ଡି.ପି ଅଭିବୃଦ୍ଧି ୭% ହେବ ବୋଲି ଆକଳନ କରିଛନ୍ତି। କେନ୍ଦ୍ର ସରକାର ନିଜର ଅର୍ଥନୀତି କ୍ଷେତ୍ରରେ ଅଧିକରୁ ଅଧିକ କର୍ପୋରେଟ୍ ମାନଙ୍କ ଉପରେ ନିର୍ଭର କରିଛନ୍ତି ଯାହାକି ଅତ୍ୟନ୍ତ ବିପଦ ଜନକ। ଶ୍ରମିକମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବା ପାଇଁ ମୋଦି ସରକାରଙ୍କ ଚକ୍ରାନ୍ତ ବଜେଟ୍ ଭାଷଣରେ ପ୍ରତିଫଳିତ ହୋଇଛି। ଏହି ବଜେଟ୍ ଫଳରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିବା ସହ ବେକାରୀ ସମସ୍ୟା ଉତ୍କଟ ହେବ। ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢିବ। ଏହି ଜନ ବିରୋଧୀ ବଜେଟ୍ ବିରୁଦ୍ଧରେ ଦେଶବାସୀ ନିଜର ପ୍ରତିବାଦ ପ୍ରକଟ କରିବା ପାଇଁ ସି.ପି.ଆଇ.(ଏମ୍)ଓଡିଶା ରାଜ୍ୟ କମିଟି ଆହ୍ୱାନ କରିଛି।

By amfnews

Related Post