Fri. Jul 3rd, 2026

ପେଟ୍ରୋଲ ପମ୍ପ୍‌ରେ ଦୁର୍ଘଟଣା ମାମଲା, ଡ୍ରାଇଭର୍‌ ଗିରଫ

345 Views

ନୟାଗଡ଼,: ଗତକାଲି ନୟାଗଡ଼ ଟାଉନ ଥାନା ଅଧୀନ ଏକ ପେଟ୍ରୋଲ ପମ୍ପରେ ଟ୍ରକ୍ ଓ ବାଇକ୍ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ସଂପୃକ୍ତ ଟ୍ରକ୍‌ ଡ୍ରାଇଭର୍‌କୁ  ଗିରଫ କରାଯାଇଛି। ଗତକାଲି ସଂପୃକ୍ତ ଡ୍ରାଇଭର ହାଲୁରୀ ନାୟକ ଦୁର୍ଘଟଣା ଘଟାଇ ସଦର ଥାନା ପରିସରରେ ଟ୍ରକ ରଖି ଫେରାର୍‌ ହୋଇଯାଇଥିଲା। ଟାଉନ ଥାନା ପୁଲିସ୍‌ ତାକୁ ଗତକାଲି ଧରି ଅଟକ ରଖିଥିବା ବେଳେ  ଗିରଫ କରିଥିବା ଆଇଆଇସି ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି। ହାଲୁରୀର ଘର ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଡିମିରିଝରି ଗ୍ରାମରେ। ଉଲ୍ଲେଖଯୋଗ୍ୟ, ଏହି ଦୁର୍ଘଟଣାରେ ସ୍ଥାନୀୟ ଲାଠିପଡ଼ା ଗ୍ରାମର ସାଗର ମହାରଣାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଗୋଟିଏ ବାଇକ୍‌ରେ ସାଗର ଓ ତାଙ୍କ ପତ୍ନୀ ରଞ୍ଜିତା, ପୁଅ ଚିନ୍ମୟ ଓ ଝିଅ ଲକ୍ଷ୍ମୀ (୭) ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ଫେରୁଥିଲେ। ଏହି ସମୟରେ ଟ୍ରକ୍‌ (ଓଆର୍‌ ୦୯ ଜେ୩୦୧୫) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀର ମୃତ୍ୟୁ ଘଟିଥିଲା ଏବଂ ବାପା ସାଗର ଓ ପୁଅ ଚିନ୍ମୟ ଗୁରୁତର ଆହତ ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଭୁବନେଶ୍ବର ସ୍ଥାନାନ୍ତର ହୋଇଥିଲେ। ବର୍ତ୍ତମାନ ବାପ ଓ ପୁଅ ଉଭୟଙ୍କ ଅବସ୍ଥା ଭଲ ଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

By amfnews

Related Post