Sat. Apr 25th, 2026

ପାଣିଗଣ୍ଡା ଜଙ୍ଗଲରୁ ମିଳିଲା ଟିଫିନ୍ ବୋମା

273 Views

ମୋହନା/ ପାରଳାଖେମୁଣ୍ଡି : ନିର୍ବାଚନ ପୂର୍ବରୁ ସୀମାନ୍ତ କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ମାଓବାଦୀ ପଲଟଣଙ୍କ ଗଜପତିରେ ଅନୁପ୍ରବେଶ। ଏହି ସୂଚନାକୁ ଆଧାର କରି ଅଡବା ଥାନା ଅନ୍ତର୍ଗତ ତୁରାଣିପାଣି ଏବ˚ ପାଣିଗଣ୍ତା ମଧ୍ୟବର୍ତ୍ତୀ ଜଙ୍ଗଲରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ବେଳେ ୩୦ କିଲୋ ଓଜନର ଏକ ଟିଫିନ୍ ବୋମା ସହ ଦେଶୀ ବନ୍ଧୁକ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ରାତିରେ ଗଜପତି ଡିଭିଏଫ୍ ‌ମାଟି ତଳେ ଏହି ଟିଫିନ୍ ବୋମା ଓ ଦେଶୀ ବନ୍ଧୁକ ପୋତାଯାଇଥିବା ସୂରାକ୍ ପାଇ ଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଓ ଅଡବା ଥାନା ଅଧିକାରୀ ଅଜୟ କୁମାର ବାରିକ ଘଟଣା ସ୍ଥଳକୁ ଯାଇ ଟିଫିନ୍ ବୋମା ଏବଂ ଦେଶୀ ବନ୍ଧୁକକୁ ସେଠାରୁ ଉଦ୍ଧାର କରିଥିଲେ। ମାଟି ତଳେ ବହୁ ଦିନ ପୂର୍ବରୁ ଏହାକୁ ପୋତାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ସକା‌ଳେ ଗଜପତି ଏସପି ସାରା ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ଗଜପତି ଜିଲ୍ଲା ସୀମାନ୍ତରେ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର କିଛି ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ମିଳିଛି। ଏହାକୁ ରୋକିବା ପାଇଁ କୁମ୍ବିଂ ‌ଜୋରଦାର କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଏଥିପାଇଁ ସମସ୍ତ ଅଜଣା ଯାନବାହନ ଯାଞ୍ଚ ସହ ସୀମାନ୍ତରେ ନାକା କରାଯାଇଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ କାଳେ ମାଓବାଦୀ ସକ୍ରିୟ ହୋଇଥିବା ନେଇ ଲୋକଙ୍କ ମନରେ ଆଶଙ୍କା ଜାରି ରହିଥିବା ବେଳେ ବିଭ୍ରାନ୍ତ ନହେବାକୁ ପୁଲିସ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

By amfnews

Related Post