Thu. Jul 2nd, 2026

ନାବାଳିକାଙ୍କୁ ଗଣଦୁଷ୍କର୍ମ, ୪ ଯୁବକ ଅଟକ

265 Views

ରାଉରକେଲା, ୩୦ା୧୦: ଜଣେ କର୍ମଜୀବୀ ନାବାଳିକାଙ୍କୁ ଘରେ ଛାଡ଼ି ଦେବାକୁ କହି ୪ ଜଣ ଯୁବକ ସାଙ୍ଗରେ ଡାକି ନେଇ ବିଲ ମଝିରେ ଗଣ ଦୁଷ୍କର୍ମ କରିଥିବା ପରି ଘଟଣା ଏବେ ପଦାକୁ ଆସିଛି। ଏ ନେଇ ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଯୁବତୀଙ୍କୁ ଯେଉଁ ବାଇକ ଯୋଗେ ଅପହରଣ କରାଯାଇଥିିଲା, ସେହି ବାଇକ୍‌ଟିକୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବଜାରରେ ଥିବା ଏକ ଗାରମେଣ୍ଟ ସୋ ରୁମ୍‌ରେ ଜଣେ ୧୭ ବର୍ଷୀୟା ନାବାଳିକା କାର୍ଯ୍ୟ କରନ୍ତି। ଗତ ୨୭ ତାରିଖ ସନ୍ଧ୍ୟାବେଳେ ନାବାଳିକା ଜଣକ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କ ସହିତ ପୂର୍ବରୁ ଚିହ୍ନା ପରିଚୟ ଥିବା ଲହୁଣିପଡ଼ା ବଜାରର ଜଣେ ଯୁବକ ତାଙ୍କୁ ବାଇକରେ ଘରେ ଛାଡ଼ିଦେବ ବୋଲି କହି ଡାକି ନେଇଥିଲେ। ତେବେ ଯୁବକଙ୍କ ମନରେ ଥିବା କଳୁଷିତ ଭାବନା ସମ୍ପର୍କରେ ଜାଣି ନ ପାରି ନାବାଳିକା ଜଣକ ତାଙ୍କ ବାଇକରେ ବସି ଘରକୁ ଯିବାକୁ ବାହାରିଥିଲେ।

ମାତ୍ର ଯୁବକଙ୍କ ସହିତ ଅନ୍ୟ ୩ ଜଣ ମଧ୍ୟ ସାମିଲ ହୋଇ ନାବାଳିକାଙ୍କୁ ବଜାର ଠାରୁ ଦୂର ଏକ ଚାଷ ଜମିକୁ ନେଇ ସେଠାରେ ଗଣ ଦୁଷ୍କର୍ମ କରିଥିଲେ। ପରେ ଏ କଥା ପ୍ରଚାର କଲେ ଜୀବନରୁ ମାରି ଦେବାର ଧମକ ଦେଇ ସେହି ବଲରେ ଛାଡ଼ି ଦେଇ ଯୁବକମାନେ ଫେରାର ହୋଇ ଯାଇଥିଲେ। ଘରକୁ ଫେରି ଯୁବତୀ ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଲହୁଣି ପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ସମସ୍ତ ୪ ଜଣ ଯୁବକ ଲହୁଣିପଡ଼ାର ବସ୍ତିରେ ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ।

By amfnews

Related Post