Thu. May 14th, 2026

ତେଲ ପାଇଁ ଦୋଷ ଠେଲାଠେଲି : ରାଜ୍ୟକୁ ଦାୟିତ୍ୱ ଠେଲିଲେ ଧର୍ମେନ୍ଦ୍ର, ବିଜେଡି କହିଲା, କେନ୍ଦ୍ର ଉତ୍ପାଦନ ଶୁଳ୍କ କମାଉ

315 Views

ଭୁବନେଶ୍ୱର : ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ତୈଳ ଦର କମାଇବା ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଠେଲିଲା ପରେ ଏହାକୁ ନେଇ ବିଜେଡି-ବିଜେପି ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସମସ୍ତେ ପରସ୍ପରର ଦୋଷ ବାଛି ଆକ୍ଷେପ କରିଥିଲା ବେଳେ ତୈଳ ଦର କମିବାର କୌଣସି ଆଶା ଦେଖାଯାଇନି।

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କହିଛନ୍ତି, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଏଠାରେ ତୈଳ ଦର ବଢ଼ୁଛି। ୨୦୧୪ ମସିହାରେ ଓଡ଼ିଶା ସରକାର ତୈଳରୁ ୩ ହଜାର କୋଟି ଟଙ୍କାରୁ କମ୍‌ ଟିକସ ପାଉଥିଲେ। କିନ୍ତୁ ଏବେ ତାହା ୭ ହଜାର କୋଟି ଟଙ୍କା ଛୁଇଁଲାଣି। ତେଣୁ ଓଡ଼ିଶା ସରକାର ଭ୍ୟାଟ୍‌ କମାଇ ତୈଳ ଦର ହ୍ରାସ କରିବାର ସମୟ ଆସିଛି। ଅନ୍ୟ ରାଜ୍ୟ ଏହି ପ୍ରକ୍ରିୟା ଆରମ୍ଭ କଲେଣି।

ତେବେ ବିଜେଡି ଏହାକୁ ବିରୋଧ କରିଛି। ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ ଯୁକ୍ତି ଦର୍ଶାଇଛନ୍ତି, ଉପା ସରକାର ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୧୬ ଡଲାର ଥିଲା ବେଳେ ଏବେ ତାହା ୭୩ ଡଲାର ଅଛି। ବିଜେପି ସରକାରକୁ ଆସିଲା ବେଳେ ଏହି ଦର ୩୪ ଡଲାର ଥିଲା। କିନ୍ତୁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୬ ପ୍ରତିଶତରୁ ୧୯ ପ୍ରତିଶତ ପର୍ଯ୍ୟନ୍ତ ଓ ଡିଜେଲ୍‌ ଉପରେ ଉତ୍ପାଦନ ଶୁଳ୍କ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ତେଣୁ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇଦେଲେ ତୈଳ ଦର କମିଯିବ। କେନ୍ଦ୍ର ମନ୍ତ୍ରୀ ନିଜ ଦାୟିତ୍ୱ ନିର୍ବାହ ନ କରି ରାଜ୍ୟକୁ ପରାମର୍ଶ ଦେବାର କିଛି ଅର୍ଥ ନାହିଁ।

ତେବେ ବିଜେଡିର ଏହି ଯୁକ୍ତିକୁ ବିରୋଧ କରିଛି ବିଜେପି। ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଉପା ଶାସନରେ ୧.୪ ଲକ୍ଷ କୋଟି ଟଙ୍କାର ଅଏଲ୍‌ ବଣ୍ଡ୍‌ ଋଣ ହୋଇଥିଲା। ବର୍ତ୍ତମାନର କେନ୍ଦ୍ର ସରକାର କଂଗ୍ରେସ ସମୟରେ ହୋଇଥିବା ସେହି ଋଣ ଓ ସୁଧ ବୋଝକୁ ସୁଝୁଛନ୍ତି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ଭାବେ ଟଙ୍କାକରେ ୪୨ ପଇସା ରାଜ୍ୟ ସରକାରଙ୍କ ପାଖକୁ ସିଧାସଳଖ ଆସିଥାଏ। ତେଲ ଦର ବଢ଼ିଲେ ସବୁଠୁ ଅଧିକ ଲାଭ ରାଜ୍ୟ ସରକାରଙ୍କୁ ମିଳିଥାଏ। ଗତ ବର୍ଷ କେନ୍ଦ୍ର ସରକାର ୨ ଟଙ୍କା ଉତ୍ପାଦନ ଶୁଳ୍କ କମାଇଥିବା ସମୟରେ ରାଜ୍ୟ ଅର୍ଥ ମନ୍ତ୍ରୀ ଏହାକୁ ବିରୋଧ କରିଥିଲେ। ଏପରିକି ଏହା ଦ୍ୱାରା ରାଜ୍ୟ ୧ ଟଙ୍କା ୩୬ ପଇସା କ୍ଷତି ସହୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ତେଣୁ ତେଲ ଦର ମାମଲାରେ କିଏ ସତ ଓ କିଏ ମିଛ, ତାହା ସ୍ପଷ୍ଟ ହୋଇଛି। ବିଜେଡି ମୁଖପାତ୍ରମାନଙ୍କ ଯୁକ୍ତି ଅତ୍ୟନ୍ତ ଅପରିପକ୍ୱ ଓ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ।

By amfnews

Related Post