Wed. Jul 1st, 2026

ମଦ ଦେବାକୁ ମନା କରାଯିବାରୁ ରେସ୍ତୋରାଁ ଭଙ୍ଗାରୁଜା କରି ୨୫ ଜଣ ସରକାରୀ ଡାକ୍ତର ଗିରଫ

229 Views

ଆଗ୍ରା : ବନ୍ଦ ସମୟରେ ମଦ ପରିବେଷଣ କରିବାକୁ ମନା କରାଯିବାରୁ ରେସ୍ତୋରାଁରେ ଭଙ୍ଗାରୁଜା, କର୍ମଚାରୀଙ୍କୁ ମାରଧର, ପୁଲିସବାଲାଙ୍କୁ ପିଟାପିଟି କରି ସେମାନଙ୍କ ୟୁନିଫର୍ମ ଚିରବା କାରଣରୁ ସରକାରଙ୍କ ଦ୍ୱାରା ପରିଚାଳିତ ଆଗ୍ରାର ସମ୍ମାନଜନକ ‘ଏସ୍‌ ଏନ୍‌ ମେଡିକାଲ୍‌ କଲେଜ୍‌’ର ୨୫ ଜଣ କନିଷ୍ଠ ଡାକ୍ତରଙ୍କୁ ଗିରଫ କରାଯାଇଛି। ଶନିବାର ବିଳମ୍ବିତ ରାତ୍ରୀରେ ଆଗ୍ରାର ଅଶୋକା ପବ୍‌ ଆଣ୍ଡ୍‌ ରେସ୍ତୋରାଁରେ ଏ ଭଳି କାଣ୍ଡ ଘଟିଛି।

ଏସ୍‌ଏସ୍‌ପି ଅମିତ ପାଠକ କହନ୍ତି, ୧୫ ଜଣ କନିଷ୍ଠ ଡାକ୍ତର ଏବେ ମଧ୍ୟ ଜେଲ୍‌ରେ ଅଛନ୍ତି। ବାକି ୧୦ ଜଣଙ୍କୁ ଜାମିନ ମିଳିଛି। ଭଙ୍ଗାରୁଜା ଏବଂ ଅନ୍ୟାନ୍ୟ ମାମଲାରେ ଡାକ୍ତରଖାନାର ଅନ୍ୟ ଚାଳିଶଜଣ ଅଜ୍ଞାତ କର୍ମଚାରୀଙ୍କୁ ମଧ୍ୟ ବୁକ୍‌ କରାଯାଇଛି।

ଘଟଣା ପରେ ମେଡିକାଲ୍‌ କଲେଜ୍‌ର ଡାକ୍ତରମାନେ ଡାକ୍ତରମାନେ ଧର୍ମଘଟ ଚଳାଇବାରୁ ରବିବାର ଦିନ ଡାକ୍ତରଖାନାର ଜରୁରୀକାଳୀନ ଓ୍ଵାର୍ଡ ବନ୍ଦ ହୋଇ ଯାଇଥିଲା। ବରିଷ୍ଠ ପ୍ରଶାସକୀୟ ଅଧିକାରୀମାନେ କଲେଜ ପ୍ରିନ୍‌ସିପାଲ୍‌ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କ ଏକ ବୈଠକ କରାଇବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ, କନିଷ୍ଠ ଡାକ୍ତରମାନେ କାର୍ଯ୍ୟକୁ ଫେରି ନ ଥିଲେ।

ପବ୍‌ ଓ ରେସ୍ତୋରାଁର ପରିଚାଳକ ଶିବାଜୀ ଓଝାଙ୍କ ଦ୍ୱାରା ଦାଏର୍‌ ହୋଇଥିବା ଅଭିଯୋଗ ଅନୁଯାୟୀ ଏଫ୍‌ଆଇଆର୍‌ ଦରଜ କରାଯାଇଛି ବୋଲି ପୁଲିସ କହିଛି। ଅଭିଯୋଗ ଅନୁସାରେ, ଜଣେ ସହକର୍ମୀଙ୍କ ଜନ୍ମଦିନ ପାଳନ କରିବାକୁ ଡାକ୍ତର ଓ କର୍ମଚାରୀମାନେ ଆସିଥିଲେ। ଆମ କର୍ମଚାରୀମାନେ ସେମାନଙ୍କୁ ବନ୍ଦ ସମୟ କଥା ଅବଗତ କରାଇବାରୁ ନିଶାସକ୍ତ ସେ ଲୋକମାନେ ଅନ୍ୟ ୪୦ ଜଣ ମେଡିକାଲ୍‌ କର୍ମଚାରୀଙ୍କୁ ଡକାଇଥିଲେ। ସେମାନେ ଜବରଦସ୍ତି ପବ୍‌ରେ ପଶି ଭଙ୍ଗାରୁଜା କରିଥିଲେ।

By amfnews

Related Post