Sat. Jul 4th, 2026

ଜାତୀୟ ସଂହତି ଦିବସ : ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଥିଲା, ରହିବ – ମୁଖ୍ୟମନ୍ତ୍ରୀ

215 Views

ଭୁବନେଶ୍ବର : ଗାନ୍ଧୀ କୌଣସି ରାଜନୈତିକ ବ୍ୟକ୍ତି ନ ଥିଲେ। ସେ ଜଣେ ସନ୍ଥ ଓ ସମାଜ ସୁଧାରକ ଥିଲେ। ତାଙ୍କର ବ୍ୟକ୍ତିତ୍ବ ସାରା ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା। ଜାତୀୟ ଏକତାର ସେ ବାର୍ତାବହ ଥିଲେ। ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଥିଲା, ଅଛି ଓ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଆଜି ଇନଷ୍ଟିଚ୍ୟୁସନ୍ ଅଫ ଇଞ୍ଜିନିୟର୍ସ ପରିସରରେ ‘ଜାତୀୟ ସଂହତି ଦିବସ’ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ‌ପୌରୋହିତ୍ୟ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, କେବଳ ଭାରତର ସ୍ବାଧୀନତା ନୁହେଁ, ଏକ ସୁସ୍ଥ ସମାଜ ଓ ସଶକ୍ତ ଭାରତ ତାଙ୍କର ଲକ୍ଷ୍ୟ ଥିଲା। ଦାରିଦ୍ର୍ୟ, ହିଂସା, ଅନ୍ୟାୟ ଓ ଅସାମାନତାରୁ ଭାରତକୁ ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ଥିଲା। ‘ଅହିଂସା’କୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ମୁଁ ଦାବି କରିଆସିଛି। ଏହି ଦାବିକୁ ସମର୍ଥନ ଜଣାଇ ଏକ ସଫଳ ଦସ୍ତଖତ ଅଭିଯାନ କରାଯାଇଛି। ଲୋକମାନେ ଏହାଦ୍ବାରା ସଚେତନ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ‌ ଦେବା ପାଇଁ ଲକ୍ଷେ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଜ୍ୟୋତି ପାଣିଗ୍ରାହୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଗାନ୍ଧୀବାଦୀ ଅମରନାଥ ଭାଇ ଓ ପ୍ରେରଣା ଦେଶାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷେ ଦସ୍ତଖତ ସମ୍ବଳିତ ପତ୍ରର ପ୍ରତୀକକୁ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ଉପେନ୍ଦ୍ର ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଯୁବ କଲ୍ୟାଣ ବୋର୍ଡର ଉପଦେଷ୍ଟା ବିଜୟ ନାୟକ ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

By amfnews

Related Post